କନକ ବ୍ୟୁରୋ : ମକର ସଂକ୍ରାନ୍ତି ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିବା ଓ ଭୋକିଲା ରଖିବା ଘଟଣା । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଥାନାରେ ଏତଲା ହୋଇଛି । କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତିଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ଅମରେନ୍ଦ୍ର ଗରାବଡୁ । କାର୍ଯ୍ୟରେ ଅବହେଳା ଯୋଗୁଁ ଉପାସ ରହିଥିଲେ ମହାପ୍ରଭୁ ଲିଙ୍ଗରାଜ । ବନ୍ଦ ରହିଥିଲା ନୀତିକାନ୍ତି । କ୍ଷୀର ଆଉଟା ନୀତିକୁ ନେଇ ବ୍ରାହ୍ମଣ ନିଯୋଗ ଓ ବଡ଼ୁ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଠାକୁର ଉପାସ ଥିଲେ। ଠାକୁରଙ୍କ ଘୃତକମ୍ବଳ ନୀତି ହୋଇପାରିନଥିଲା ।

Advertisment

ଗତକାଲିଠୁ ସ୍ୱାଭାବିକ ହୋଇଛି ଲିଙ୍ଗରାଜ ପ୍ରଭୁଙ୍କ ନୀତିକାନ୍ତି । ମଙ୍ଗଳ ଆଳତୀ ସରିବା ପରେ ଚାଲିଛି ସାଧାରଣ ଦର୍ଶନ । ପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପାଇଁ ମନ୍ଦିର ପ୍ରଶାସନକୁ ଦାୟୀ କରିଛି ବଡ଼ୁ ନିଯୋଗ । ପ୍ରଶାସନ ଚାହିଁଥିଲେ ପ୍ରଭୁ ଲିଙ୍ଗରାଜ ଉପାସ ରହିନଥାନ୍ତେ ବୋଲି ଅଭିଯୋଗ କରିଛନ୍ତି ବଡୁ ନିଯୋଗ ସେବାୟତ । ମଙ୍ଗଳବାର ଦିନ ଥିବା କ୍ଷୀର ଆଉଟା ନୀତି ସମୟରେ ବିଭ୍ରାଟ ଉପୁଜିପାରେ ବୋଲି ଦୋବୋତ୍ତର ବିଭାଗ, ଆଇନ ବିଭାଗ ଓ ମନ୍ଦିର ପ୍ରଶାସନକୁ ବଡୁ ନିଯୋଗ ଅବଗତ କରାଇଥିଲେ । ବିଭ୍ରାଟ ସମ୍ପର୍କରେ ଜଣାଇବା ସତ୍ତ୍ଵେ ପ୍ରଶାସନ କାହିଁକି ଚୂପ ରହିଲା ବୋଲି ପ୍ରଶ୍ନ କରିଛନ୍ତି ବଡୁ ନିଯୋଗ ସମ୍ପାଦକ ।

ଅଧିକ ପଢ଼ନ୍ତୁ : ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି : ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ

ଆଲୋଚନା କରାଯାଇଥିଲେ ସମାଧାନ ହୋଇପାରିଥାନ୍ତାବୋଲି ସେ କହିଛନ୍ତି । ମନ୍ଦିରର ନୀତିକାନ୍ତି ପରିଚାଳନା ସମ୍ପର୍କରେ ଜିଲ୍ଲାପାଳ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଅନେକ ବର୍ଷରୁ ଏହି ନୀତି ବଡୁ ସେବାୟତ କରିଆସୁଛନ୍ତି । ଲିଙ୍ଗରାଜ ମନ୍ଦିରର ରେକର୍ଡରେ ବି ଏହି ବିଷୟରେ ଲେଖାଯାଇଛି ବୋଲି ବଡୁ ନିଯୋଗ ସମ୍ପାଦକ କହିଛନ୍ତି । ସେପଟେ ଦେବୋତ୍ତର ବିଭାଗ ଉପରେ ଦୋଷ ଲଦିଲା ବ୍ରାହ୍ମଣ ନିଯୋଗ । ପ୍ରଶାସନ ଚାହିଥିଲେ ବିଭ୍ରାଟ ହୋଇନଥାନ୍ତା । ସମାଧାନ ପାଇଁ ଚିଠି ଦେଇ ଦାୟିତ୍ୱ ସାରିଦେଲା ଦେବୋତ୍ତର ବିଭାଗ ଏବଂ ଆଲୋଚନା ପାଇଁ ଆସିଲେନି ପ୍ରଶାସନ ବୋଲି ବ୍ରାହ୍ମଣ ନିଯୋଗ କହିଛି ।