କନକ ବ୍ୟୁରୋ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଓଡ଼ିଶାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ପ୍ରିନ୍ସ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ବାଲେଶ୍ଵରର ସପ୍ତମ ବାର୍ଷିକ ଉତ୍ସବ ୨୦୨୪-୨୫ ସ୍ଥାନୀୟ ସେଲିବ୍ରେସନ୍ ମଣ୍ଡପ, ବାଲେଶ୍ଵରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଛି । ପ୍ରିନ୍ସ୍ ଶିକ୍ଷା ସମୂହର ନିର୍ଦ୍ଦେଶକ ଶ୍ରୀ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ଅନୁଧ୍ୟାନରେ ଏହି କାର୍ଯ୍ୟକ୍ରମ ସଫଳ ଭାବରେ ସଂଯୋଜିତ ହୋଇଥିଲା । 

Advertisment

ଏହି ଅବସରରେ ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ଡ଼ ସନ୍ତୋଷ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ତର ଓଡ଼ିଶା ଶିକ୍ଷାର ବିକାଶ ନିମନ୍ତେ ପ୍ରିନ୍ସ ଶିକ୍ଷା ସମୂହର ଯୋଗଦାନକୁ ପ୍ରଶଂସା କରିଥିଲେ ତଥା ପାଠପଢ଼ା ସହିତ ନିଜ ମାଟିର ସଂସ୍କୃତି ଐତିହ ଏବଂ ପରମ୍ପରାକୁ ବଜାୟ ରଖିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପସଚିବ ଶ୍ରୀ ଜୟଦେବ ପରମାଣିକ ଯୋଗଦେଇ ରାଜ୍ୟସ୍ତରରେ ପ୍ରିନ୍ସ ଛାତ୍ରଛାତ୍ରୀ ମାନଙ୍କ ସଫଳତାକୁ ଅନେକ ପ୍ରଶଂସା କରିବା ସହିତ ନିଜର ସାରଗର୍ଭକ ବକ୍ତବ୍ୟ ମାଧ୍ୟମରେ ଅନେକ ନୀତିଶିକ୍ଷା ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସିଆରସିସି ସଂଗୀତା ରାଣୀ ରଥ ଛାତ୍ରଛାତ୍ରୀ ମାନଙ୍କୁ ସମୟର ସଦୁପଯୋଗ କରିବା ସହିତ କଲେଜର ନିୟମ ଶୃଙ୍ଖଳା ମାନି ଭବିଷ୍ୟତ ଗଠନ କରିବାକୁ ପରାମର୍ଶ ଦେଇଥିଲେ  । 

ଅତିଥିବୃନ୍ଦ ଯୁକ୍ତ ଦୁଇ କଳା ଏବଂ ବିଜ୍ଞାନ ତଥା ନିଟ୍‌, ଜେଇଇ ପରି ସର୍ବଭାରତୀୟ ପରୀକ୍ଷାରେ ପ୍ରିନ୍ସ୍ କଲେଜ୍‌ର କ୍ରମାଗତ ସଫଳତା ଏବଂ ଛାତ୍ରଛାତ୍ରୀ ମାନଙ୍କର ଅଧ୍ୟବସାୟକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ପ୍ରିନ୍ସ୍ ଏକ ଜାତୀୟ ଅନୁଷ୍ଠାନରେ ପରିଣତ ହେବ ବୋଲି ବିଶ୍ୱାସ ପ୍ରକଟ କରିଥିଲେ । ଏତଦ୍ ବ୍ୟତୀତ ପ୍ରିନ୍ସ ବାରିପଦାର ପ୍ରିନ୍ସିପାଲ ସ୍ଵାଧୀନତା କର, ପ୍ରିନ୍ସ ବାଲେଶ୍ଵର ଅଧ୍ୟକ୍ଷା ବବିତା ବେହେରା, ପ୍ରିନ୍ସ୍ ଶିକ୍ଷାମଣ୍ଡଳ ମୁଖ୍ୟ ସତ୍ୟମ୍ ଶିବମ ଦାସ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । 

ଏହି ଅବସରରେ ପ୍ରିନ୍ସ୍ ଶିକ୍ଷା ସମୂହ ତରଫରୁ କାଉନସିଲ୍ +୨ ବିଜ୍ଞାନ ୨୦୨୪ ପରୀକ୍ଷାରେ ୯୫ ପ୍ରତିଶତ ରଖି ସମଗ୍ର ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପ୍ରିନ୍ସ ଛାତ୍ର ଅଭିଷେକ ଧଡ଼ା  ଏବଂ ପ୍ରିନ୍ସ ବାଲେଶ୍ଵର ରେ ସର୍ବାଧିକ ନମ୍ୱର୍ ୯୩ ପ୍ରତିଶତ ରଖିଥିବା ଛାତ୍ର ବିକାଶ ଦାସଙ୍କୁ " ପ୍ରିନ୍ସ ଛାତ୍ର ଗୌରବ ସମ୍ମାନ ୨୦୨୪" ପ୍ରଦାନ କରାଯାଇଥିଲା । ଏହି ଅବସରରେ କଲେଜ୍ ତରଫରୁ ଅତିଥି ବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପ୍ରିନ୍ସ କଲେଜ୍‌ର ଚଳିତବର୍ଷର ଶ୍ରେଷ୍ଠ ଛାତ୍ରଛାତ୍ରୀ ଏବଂ +୨ କଳାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।  ଶିକ୍ଷାନୁଷ୍ଠାନରେ ଆୟୋଜିତ ବାର୍ଷିକ କ୍ରୀଡ଼ା ଏବଂ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା  ।