କନକ ବ୍ୟୁରୋ: ପାକିସ୍ତାନ ଉପରେ ଆମେରିକାର ବଡ଼ ଆକ୍ସନ । ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଆଧାରିତ ଲସ୍କର-ଏ-ତୋଇବା ସଂଗଠନ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ଟିଆରଏଫର ହାତ ଥିଲା । ଆମେରିକା ରାଷ୍ଟ୍ରମନ୍ତ୍ରୀ ମାର୍କୋ ରୁବିଓ ଟିଆରଏଫକୁ ବିଦେଶୀ ଆତଙ୍କବାଦୀ ସଂଗଠନ ଏବଂ ବିଶେଷ ଭାବେ ନାମିତ ବିଶ୍ୱ ଆତଙ୍କବାଦୀ ଭାବେ ମନୋନୀତ କରାଯାଇଛି । ଏହା ଭାରତ ଓ ଆମେରିକା ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗିତାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ରୁବିଓ କହିଛନ୍ତି, “ପହଲଗାମ ଆକ୍ରମଣ ହେଉଛି ୨୦୦୮ ମୁମ୍ବାଇ ଆକ୍ରମଣ ପରେ ଭାରତରେ ନାଗରିକଙ୍କ ଉପରେ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ । ଟିଆରଏଫ ଏହି ଆକ୍ରମଣର ଦାୟିତ୍ୱ ନେଇଥିଲା, ଯଦିଓ ପରେ ସଂଗଠନ ଅସ୍ୱୀକାର କରିଥିଲା । ଏନଆଇଏ ଏହି ଆକ୍ରମଣର ମୁଖ୍ୟ କାର୍ଯ୍ୟକର୍ତ୍ତା ଭାବେ ଶେଖ ସାଜାଦ ଗୁଲଙ୍କୁ ଚିହ୍ନଟ କରିଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ଘୋଷଣାକୁ ସ୍ୱାଗତ କରି ଆତଙ୍କବାଦ ବିରୋଧରେ ଦୃଢ଼ ଆଭିମୁଖ୍ୟର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ।"
ଆମେରିକା ପ୍ରତି କୃତଜ୍ଞତା ପ୍ରକାଶ କରି ଜୟଶଙ୍କର କହିଛନ୍ତି, ଏହି ନିଷ୍ପତ୍ତି ପ୍ରମାଣ କରିଛି ଯେ, ଭାରତ ଏବଂ ଆମେରିକା ଆତଙ୍କବାଦ ବିରୁଦ୍ଧରେ ଏକାଠି ଛିଡ଼ା ହୋଇଛନ୍ତି । ଟିଆର୍ଏଫ୍ ହେଉଛି ପାକିସ୍ତାନରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଏକ ଶାଖା । ଆମେରିକାର ଏହି ବଡ଼ ନିଷ୍ପତ୍ତି ପାକିସ୍ତାନ ପାଇଁ ବଡ଼ ଧକ୍କା ସଦୃଶ୍ୟ । ପାକିସ୍ତାନ ପ୍ରତିଦିନ ଭାରତ ବିରୁଦ୍ଧରେ ଷଡ଼୍ଯନ୍ତ୍ର କରିଚାଲିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଥିଲେ । ଟ୍ରମ୍ପ କହିଥିଲେ, ଆତଙ୍କବାଦ ବିରୋଧରେ ଲଢ଼େଇରେ ଆମେରିକା ଭାରତ ସହିତ ଛିଡ଼ା ହୋଇଛି ।