କନକ ବ୍ୟୁରୋ: ଥାଣେ ଜିଲ୍ଲାରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ଏଠାରେ ଟ୍ରେନରୁ ଖସିପଡି ୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଯାତ୍ରୀ ଗମ୍ଭୀର ଭାବେ ଆହାତ ହୋଇଛନ୍ତି । ଟ୍ରେନ ଯାତ୍ରା ଯେ  ଶେଷ ଯାତ୍ରା ହେବ ଏମାନେ କେବି ବି ଭାବିନଥିବେ । ସକାଳୁ ଥାଣେ ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଗହଳି ଜମିଥିଲା । ଖଚାଖଚ ଭିଡ଼ ଭିତରେ କିଛି ଯାତ୍ରୀ ଟ୍ରେନ କବାଟ ମୁହଁରେ ଓହଳିକି ଯାଉଥିବା ସମୟରେ ଟ୍ରେନରୁ ଖସିପଡିଥିବା ଖବର ଆସିଥିଲା । ମୃତକଙ୍କ ଭିତରେ  ପୁଲିସ କନେଷ୍ଟବଳ  ଭିକି ମୁଖ୍ୟାଦାଲ ରହିଛନ୍ତି ।

Advertisment

ଥାଣେ ଜିଲ୍ଲାର ମୁମ୍ବ୍ରା ଷ୍ଟେସନ ନିକଟରେ ଏକ ଦୁଃଖଦ ଟ୍ରେନ୍ ଦୁର୍ଘଟଣାରେ ୫  ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଫାଷ୍ଟ ଲୋକାଲ ଟ୍ରେନ୍‌ରୁ ଖସି ପଡ଼ିବା ଫଳରେ ଏହି ଅଘଟଣ ଘଟିଛି । ଥାଣେ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ପ୍ରାୟ ୧୩ ଜଣ ଯାତ୍ରୀ ଟ୍ରେନ୍‌ରୁ ଖସି ପଡ଼ିଥିଲେ । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ୭ ଜଣ ଆହତ ଯାତ୍ରୀ କଲୱା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଏବଂ ସେମାନେ ବିପଦମୁକ୍ତ ଅଛନ୍ତି । ଏହି ଦୁର୍ଘଟଣା ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ  ଅଭିମୁଖେ ଯାଉଥିବା ଏକ ଟ୍ରେନ୍‌ରେ ଘଟିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଟ୍ରେନ୍‌ରେ ଅତ୍ୟଧିକ ଭିଡ଼ ହେତୁ ଏହି ଅଘଟଣ ଘଟି ଥାଇପାରେ । ଆହତ ଯାତ୍ରୀମାନେ ଟ୍ରେନ୍‌ର ଫୁଟବୋର୍ଡରେ ଯାତ୍ରା କରୁଥିଲେ, ଯାହା ଏହି ଦୁର୍ଘଟଣାର ଏକ ପ୍ରମୁଖ କାରଣ ।

ଟ୍ରେନ ଖସିପଡିବା ପଛରେ ଦୁଇଟି ବଡ଼ କାରଣ ଥିବା କୁହାଯାଉଛି । ପ୍ରଥମଟି ହେଲା ପ୍ରବଳ ଭିଡ଼ ଓ ଦ୍ବିତୀୟଟି ହେଲା ଅପରପାର୍ଶ୍ୱରୁ ଆସୁଥିବା ଏକ୍ସପ୍ରେସ ଟ୍ରେନର ଯାତ୍ରୀଙ୍କ ସହ ଲୋକାଲ ଟ୍ରେନ ଯାତ୍ରୀଙ୍କ ଧକ୍କା । ଯାତ୍ରୀ ପରସ୍ପର ସହ ପିଟିହେବା ଯୋଗୁଁ କିଛି ଲୋକାଲ ଟ୍ରେନ ଯାତ୍ରୀ ଖସିପଡିଥିବା ସୂଚନା ମିଳିଛି । ଘଟଣାଟି ଆଜି(ସୋମବାର) ସକାଳ ପ୍ରାୟ ୯ଟା ସମୟରେ ଘଟିଥିଲା । ରେଳ ପ୍ରଶାସନ ଏବଂ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏକ୍ସରେ ପୋଷ୍ଟ କରି ଏହାକୁ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ବର୍ଣଣା କରିଛନ୍ତି । ଏହି ଦୁର୍ଘଟଣା ପରେ ରେଳ ବୋର୍ଡ ମୁମ୍ବାଇ ଲୋକାଲ ଟ୍ରେନ୍‌ଗୁଡ଼ିକରେ ଅଟୋମେଟିକ୍ ଡୋର୍ କ୍ଲୋଜର ସିଷ୍ଟମ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।
 
 ପ୍ରଶ୍ନ ଉଠୁଛି ଟ୍ରେନ୍‌ରେ ଭିଡ କେତେ ଥିଲା? କେମିତି ଅତ୍ୟଧିକ ସଂଖ୍ୟକ ଯାତ୍ରୀ ଟ୍ରେନରେ ବିପଦପୂର୍ଣ୍ଣ ଅବ୍ଥାରେ ଯାତ୍ରା କରୁଥିଲେ ?  ଟ୍ରେନ୍‌ରୁ କେମିତି ଖସିପଡ଼ିଲେ ଯାତ୍ରୀ ?  

•    କସରା ଲୋକାଲ ଟ୍ରେନ୍‌ରେ ପ୍ରବଳ ଭିଡ଼ ଥିଲା
•    ସିଟ୍‌ଠାରୁ ବେଶ୍‌ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ
•    କିଛି ଯାତ୍ରୀ ଟ୍ରେନ୍‌ ଗେଟ୍‌ ପାଖରେ ଝୁଲିକି ଯାଉଥିଲେ
•    ହଠାତ୍‌ ଅନ୍ୟପଟୁ ପୁଷ୍କକ ଏକ୍ସପ୍ରେସ୍‌ ଆସିଥିଲା
•    ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଉଭୟ ଟ୍ରେନ୍‌ର ଯାତ୍ରୀ ପିଠିରେ ବ୍ୟାଗ୍ ପକାଇଥିଲେ
•    ଟ୍ରେନ୍‌ ଦୁଇଟି ପାଖାପାଖି ଯିବାରୁ ଯାତ୍ରୀଙ୍କ ବ୍ୟାଗ୍‌ ପରସ୍ପର ସହ ଘଷି ହୋଇଯାଇଥିଲା
•    ଟ୍ରେନ୍‌ ସ୍ପିଡ୍‌ ଥିବାରୁ କିଛି ଯାତ୍ରୀ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ 
 
ମୁମ୍ବାଇ ହେଉକି ଥାଣେ ଟ୍ରେନରେ ଅତ୍ୟଧିକ ଯାତ୍ରୀ କିଛି ନୂଆ ଘଟଣା ନୁହେଁ । ଦେଶରେ ଏଭଳି ଘଟଣା ଅନେକ ଥର ଦେଖିବାକୁ ମିଳିଛି । ଯଦି ପ୍ରଶାସନ ଏବଂ ଷ୍ଟେସନ୍‌ରେ ଥିବା ସୁରକ୍ଷାକର୍ମୀ ଏଥିପ୍ରତି ଦୃଷ୍ଟି ଦେଇ ଲୋକଙ୍କୁ ଅଟକାଇଥାନ୍ତେ  ତେବେ ଆଜି ୫ଜଣଙ୍କ ଜୀବନ ବଞ୍ଚିଯାଇଥାନ୍ତା । ତେବେ ଏ ଘଟଣା ଆଗକୁ ଏକ ଶିକ୍ଷା, ଭିଡ଼ରେ ନଯାଇ ସୁରକ୍ଷିତ ଯାତ୍ରା ଉପରେ ଯାତ୍ରୀ ଧ୍ୟାନ ଦେବା ଉଚିତ୍ ।