କନକ ବ୍ୟୁରୋ: ସରଣ୍ଡା ଜଙ୍ଗଲରେ ଝାଡ଼ଖଣ୍ଡ ପୁଲିସକୁ ମିଳିଲା ବଡ଼ ସଫଳତା । ପୁଣି ସରଣ୍ଡା ଜଙ୍ଗଲରୁ ଜବତ ହେଲା ୧୮ ହଜାର ଡେଟୋନେଟର୍ । ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସକ୍ରିୟ ମାଓବାଦୀ ସଙ୍ଗଠନର ଏକ ବଡ଼ ଷଡ଼୍‌ଯନ୍ତ୍ର ପଣ୍ଡ ହୋଇଛି । ମଙ୍ଗଳବାର ଝାଡ଼ଖଣ୍ଡ ସୁରକ୍ଷାବାହିନୀ ଏହ ଷଡ଼୍‌ଯନ୍ତ୍ର ଫେଲ୍‌ କରିଛି । ପୁଲିସକୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ସୁରକ୍ଷାବାହିନୀ ଟଣ୍ଟୋ ଥାନା ହୁସିପି ଗାଁ ନିକଟ ଜଙ୍ଗଲ ଓ ପାହାଡ଼ରେ ଲୁଚାଇ ରଖାଯାଇଥିବା ୧୮ ହଜାର ଡେଟୋନେଟର୍ ଜବତ ହୋଇଛି ।  ଏସବକୁ ବୋମା ନିଷ୍କ୍ରିୟକାରୀ  ଦଳ ସହାୟତାରେ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଛି । ଏପଟେ ଗତ ମାସ ୨୭ ତାରିଖରେ ବାଙ୍କୋ ପଥର ଖଣିରୁ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ଏପର୍ଯ୍ୟନ୍ତ ଆହୁରି ୧ ଟନ୍ ବିସ୍ଫୋରକ ସାମଗ୍ରୀ ଜବତ କରି ପାରିନାହିଁ ସୁରକ୍ଷାବାହିନୀ । ଅନ୍ୟପଟେ ଝାଡ଼ଖଣ୍ଡ ପୁଲିସ ୧୮ହଜାର ଡେଟୋନେଟର୍ ଜବତ କରିଛନ୍ତି । 

Advertisment


ଏହା ପୂର୍ବରୁ ଗତ ଜୁନ ୨ ତାରିଖରେ ସୁନ୍ଦରଗଡ଼ ବାଙ୍କୋ ପଥର ଖଣିରୁ ସଶସ୍ତ୍ର ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଗାଡ଼ି ଲୁଟ୍‌ ହେବାର ତିନି ଦିନ ପରେ ସରଣ୍ଡା ଜଙ୍ଗଲର ତିରିଲପୋସିଠାରେ ଲୁଟ୍‌ ବିସ୍ଫୋରକର ସନ୍ଧାନ ମିଳିଥିଲା । ତିରିଲପୋସି ଜଙ୍ଗଲରେ ସର୍ଚ୍ଚ ଅପରେସନ‌୍ ଚାଲିଥିବା ବେଳେ ଯବାନମାନେ ଲୁଟ୍‌ ହୋଇଥିବା ବିସ୍ଫୋରକର ସନ୍ଧାନ ପାଇଥିଲେ । ଯବାନମାନଙ୍କୁ ଦେଖିବା ମାତ୍ରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏକ ଘଣ୍ଟା ଧରି ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଓବାଦୀମାନେ ବିଛାଇଥିବା ଆଇଇଡି ବିସ୍ଫୋରଣ ହେବାରୁ ସିଆର୍‌ପିଏଫ୍‌ କୋବ୍ରା ୨୦୯ ବାଟାଲିୟନ୍‌ର ଯବାନ ସୁନୀଲ କୁମାର ଗୁରୁତର ହୋଇଥିଲେ । 

ମାଓବାଦୀଙ୍କ ଗଡ଼ ପାଲଟିଥିବା ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାରେ ଥିବା ସରଣ୍ଡା ଜଙ୍ଗଲରେ ପଶିବେ ଯବାନ । ମାଓ ଦମନ ଅଭିଯାନରେ ଏବେ ସୁଦ୍ଧା ବଞ୍ଚିଯାଇଥିବା କିଛି ମାଓବାଦୀଙ୍କୁ ନିପାତ କରାଯାଇଛି । ଜଙ୍ଗଲ ଭିତରେ ଲୁଚିଥିବା ନକ୍ସଲଙ୍କ ଦମନ ଏହି ଅପରେସନର ମୂଳ ଉଦ୍ଦେଶ୍ୟ । ଅପରେସନରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ୍, ସାଟେଲାଇଟ୍ ନିରୀକ୍ଷଣ ସହ ଜଙ୍ଗଲ ଯୁଦ୍ଧରେ ଦକ୍ଷ ଯବାନଙ୍କୁ ସାମିଲ କରାଯାଇଛି । ଏଭଳି ବଡ଼ ଅପରେସନ ପାଇଁ ଜଙ୍ଗଲ ଭିତରେ CRPF ର ସ୍ଵତନ୍ତ୍ର କ୍ୟାମ୍ପ ନିର୍ମାଣ ପାଇଁ ଯୋଜନା କରାଯାଇଛି ।