କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ରାଜ୍ୟର ରାସନକାର୍ଡଧାରୀଙ୍କୁ ଦୁଇଟି ଲେଖାଏଁ ଝୋଟ ବ୍ୟାଗ ବାଣ୍ଟିଥିଲେ ପୂର୍ବ ବିଜେଡି ସରକାର । ବ୍ୟାଗରେ ଆମ ଓଡ଼ିଶା ନବୀନ ଓଡିଶା ଲେଖାଥିଲା । ଓଡ଼ିଶା ଶାସନ ଲୋଗୋ ସହ ଫାଇଭ-ଟି ଲୋଗୋ ରହିଥିଲା । କିନ୍ତୁ ଏହି ବ୍ୟାଗ୍ ପାଇଁ ଯେତେ ଟଙ୍କ ଖର୍ଚ୍ଚ ହୋଇଥିଲା ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ ହୋଇଛି ୨୪୮ କୋଟି ଟଙ୍କା।

ବିଧାନସଭାରେ ଝୋଟ ବ୍ୟାଗ୍ ସମ୍ବନ୍ଧରେ ଜଗତସିଂପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ତଥ୍ୟ ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେହିପରି ପ୍ରତ୍ୟେକ ପରିବାର ପିଛା ୧୦୦୦ ଟଙ୍କା ଲେଖାଏଁ ବଣ୍ଟନ କରିବା ପାଇଁ ୯୫୯ କୋଟି ୫ ଲକ୍ଷ ୨୬ ହଜାର ଟଙ୍କା ବ୍ୟୟବରାଦ କରାଯାଇଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଯେଉଁଥିରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ନିଜେ ମନ୍ତ୍ରୀ । ଏହାର ତଦନ୍ତ ହେବ ବୋଲି ମଧ୍ୟ କହିଛନ୍ତି ।

ବିଧାନସଭାରେ ବ୍ୟାଗକୁ ନେଇ ହଂଗାମା ପରେ ଉଭୟ ଶାସକ ଓ ବିରୋଧୀ ଦଳର ନେତାଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଛି । ତେବେ ପ୍ରଶ୍ନ ଉଠୁଛି, ବ୍ୟାଗ ବଣ୍ଟନ ନାଁରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ କିଏ ଦେଇଥିଲେ ନିର୍ଦ୍ଦେଶ ? ବ୍ୟାଗ୍ ବଣ୍ଟାରେ କେତେ କୋଟି ଟଙ୍କା ଦୁର୍ନୀତି ହୋଇଛି ? ମୁଖ୍ୟ କାର୍ପଟଦାରଙ୍କୁ ଧରିପାରିବେ ତ ମୋହନ ସରକାର ?