କନକବ୍ୟୁରୋ : ସ୍ପେନ, ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ଅଂଶରେ ଏକ ବିଶାଳ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପରିବହନ , ଯୋଗାଯୋଗ ଏବଂ ଜରୁରୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ବିମାନ ସେବା, ରେଳ ଏବଂ ମେଟ୍ରୋ ସେବାକୁ ବ୍ୟାପକ ଭାବେ ବାଧାପ୍ରାପ୍ତ କରିଛି , ଯାହା ଦେଶଗୁଡ଼ିକରେ ବ୍ୟାପକ ଅସ୍ତବ୍ୟସ୍ତ ସୃଷ୍ଟି କରିଛି । ଏହି ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ସ୍ପେନର ମାଦ୍ରିଦ- ବାରାଜାସ ବିମାନବନ୍ଦର ସମେତ ଅନ୍ୟାନ୍ୟ ପ୍ରମୁଖ ବିମାନବନ୍ଦରରେ ବିମାନ ଉଡ଼ାଣ ବିଳମ୍ବିତ ହୋଇଛି । ସ୍ପେନର ଜାତୀୟ ରେଳ ଅପରେଟର ରେନ୍ଫେ ସମଗ୍ର ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିବା ସୂଚନା ଦେଇଛି ।
ଲିସବନ ଓ ପୋର୍ତୋରେ ମେଟ୍ରୋ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଛି , ଏବଂ ହଜାର ହଜାର ଯାତ୍ରୀଙ୍କୁ ମେଟ୍ରୋ ଷ୍ଟେସନରୁ ବାହାର କରାଯାଇଛି । ଟ୍ରାଫିକ୍ ଲାଇଟ୍ ବନ୍ଦ ହେବା ଯୋଗୁଁ ମାଦ୍ରିଦ, ଲିସବନ ଏବଂ ପୋର୍ତୋରେ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି । ମୋବାଇଲ ନେଟୱାର୍କରେ କଲ୍ ସେବା ବନ୍ଦ ଥିବା ବେଳେ କିଛି ମେସେଜିଂ ଆପ୍ କାର୍ଯ୍ୟ କରୁଛି । ଏହା ବ୍ୟତୀତ, ଏଟିଏମ , ଇଲେକ୍ଟ୍ରୋନିକ୍ ପେମେଣ୍ଟ ସିଷ୍ଟମ ଏବଂ କୋର୍ଟ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି ।