କନକ ବ୍ୟୁରୋ: ଜୁନ ମାସ ଏ ନାଁ ଶୁଣିଲେ ଏବେ ମନରେ ଛନକା ପଶିଯାଉଛି । କାରଣ ଏହି ମାସ ଭାରତ ପାଇଁ କାଳର ମାସ ହୋଇଯାଇଛି । ଯେଉଁ ମାସରେ ଟ୍ରେନ, ପ୍ଲେନ, ହେଲିକପ୍ଟର ଦୁର୍ଘଟଣା ଘଟି ଶହ ଶହ ଲୋକଙ୍କ ଜୀବନ ଚାଲିଯାଇଛି । ଏହା ପୁଣି ଛୋଟ ନୁହେଁ ବରଂ ଭାରତର ଇତିହାସର ସବୁଠାରୁ ବଡ଼ ଦୁର୍ଘଟଣା । ଯାହାର ଘଟଣାକ୍ରମ ମନେ ପଡ଼ିଲେ ଛାତି ଥରି ଉଠେ । ବାହାନଗା ଟ୍ରେନ ଦୁର୍ଘଟଣା ଜୁନ ମାସରେ ଯନ୍ତ୍ରଣା ଦେଇଥିବା ବେଳେ ଏବେ ଅହମ୍ମଦାବାଦ ପ୍ଲେନ କ୍ରାସ ଆଖିରେ ଲୁହ ଦେଇଛି । ଏହି ଦୁର୍ଘଟଣାକୁ ୩ ଦିନ ନପୁରୁଣୁ କେଦାରନାଥ ହେଲିକପ୍ଟର କ୍ରାସରେ ୭ ଜଣଙ୍କ ମୃତ୍ୟୁ ହୋଇଛି । 

Advertisment

୨୦୨୩ ଜୁନ୍ ୨ ଶୁକ୍ରବାର, ସମୟ ପାଖାପାଖି ୭ଟା । ଖବର ଆସିଲା କରମଣ୍ଡଳ ଏକ୍ସପ୍ରେସ୍ ଧକ୍କା ହୋଇଯାଇଛି, ବାହାନଗାରେ ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ ସାମ୍ନାସାମ୍ନି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହୀ ଟ୍ରେନ୍ । ଆଉ ଏଥିରେ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଅଧିକ ଯାତ୍ରୀ ଏହି ଭୟଙ୍କର ଦୁର୍ଘଟଣାରେ ଆହତ ହୋଇଥିଲେ । ଶତାବ୍ଦୀର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ଭାବେ ଦେଶକୁ ଦୋହଲାଇ ଦେଇଥିଲା ବାହାନଗା ଠାରେ ହୋଇଥିବା କରମଣ୍ଡଳର କରୁଣ ଦୁର୍ଘଟଣା । କିଏ ଟ୍ରେନ୍ ଚକ ତଳେ ରହିଗଲା, କିଏ ବଗିରେ ଚାପି ହୋଇଯାଇଥିଲା ତ ଆଉ କିଏ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବଗି ଭିତରେ ହିଁ ଶବ ପାଲଟିଗଲା । ଦେଖୁ ଦେଖୁ ବଢ଼ି ଚାଲିଲା ମୃତକଙ୍କ ସଂଖ୍ୟା, ଅନ୍ଧକାର ଭିତରେ ବଡ଼ ରେସ୍କ୍ୟୁ ଅପରେସନ୍ ପାଇଁ ସମୟ ଗଡ଼ି ଚାଲିଲା, କିଏ ଜୀବନ ପାଇଁ ବିକଳ ହୋଇଯାଉଥାଏ ତ କିଏ ପରିବାର ପାଇଁ ନେହୁରା ହେଉଥିଲା । ଆଉ ସକାଳ ପାହିଲା ବେଳକୁ ବାହାନଗା ପାଲଟିଯାଇଥିଲା ଶବଙ୍କ ଠିକଣା । 

ଏହି ବଡ଼ ଦୁର୍ଘଟଣାର ଠିକ ଦୁଇ ବର୍ଷ ପରେ ଅର୍ଥାତ ୨୦୨୫, ଜୁନ ୧୨ରେ ଗୁଜରାଟର ଅହମଦାବାଦରେ ଏତେ ବଡ଼ ବିମାନ ଦୁର୍ଘଟଣା ହେବ କେହି କେବେ ଭାବି ନଥିଲେ । ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପୂରା ଭାରତ ସମେତ ପୂରା ବିଶ୍ବକୁ ସ୍ତବ୍ଧ କରିଦେଇଛି । ୨୪୧ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଲଣ୍ଡନ ଯାଉଥିଲା । ହେଲେ ଉଡ଼ାଣର କିଛି ମିନିଟ୍ ପରେ ବିମାନଟି ଅହମ୍ମଦାବାଦର ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଏକ ମେଡିକାଲ ହଷ୍ଟେଲ ଉପରେ ପଡ଼ିଯାଇଥିଲା । ଫଳରେ ମେଡିକାଲ ଛାତ୍ରବାସର କିଛି ଛାତ୍ର ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଅନ୍ୟ କିଛି ଛାତ୍ର ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ହସ୍ପିଟାଲରେ ଗୁରୁତରଙ୍କ ଆର୍ତ୍ତ ଚିତ୍କାର ଶୁଣିଲେ କୋହରେ ହୃଦୟ ଫାଟିପଡୁଛି । କେବଳ ବିମାନ କିମ୍ୱା ମେଡିକାଲ ଛାତ୍ରବାସ ନୁହେଁ ଆଖପାଖରେ ବି କିଛି ଲୋକଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି । 

ଏହି ଦୁର୍ଘଟଣାର ଦାଗ ମନରୁ ନଲିଭୁଣୁ ଉତ୍ତରାଖଣ୍ଡ କେଦାର ନାଥରୁ ସାମ୍ନାକୁ ଆସିଥିଲା ହେଲିକପ୍ଟର ଦୁର୍ଘଟଣାର ଖବର । ଜୁନ ୧୫ ତାରିଖରେ ଘଟିଥିଲା ଏହି ଦୁର୍ଘଟଣା ଷ ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା । ପାଇଲଟ୍ ଏବଂ ଗୋଟିଏ ଛୋଟ ପିଲାଙ୍କ ସମେତ ୭ ଜଣ ପ୍ରାଣ ହରାଇଥିଲେ । କେଦାରନାଥ ଧାମରୁ ଗୁପ୍ତକାଶୀ ଅଭିମୁଖେ ଉଡ଼ାଣ ଭରୁଥିବା ଆର୍ଯ୍ୟାନ ଆଭିଏସନ୍‌ର ଏକ ହେଲିକପ୍ଟର ଗୌରୀକୁଣ୍ଡ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ଘଟିଯାଇଥିବା ଏହି ବଡ଼ ବଡ଼ ଦୁର୍ଘଟଣା ଜୁନ ମାସରେ ହିଁ ଘଟିଛି । ଯାହା ଏହି ମାସକୁ କାଳ ସଜାଇଦେଇଛି ।