କନକ ବ୍ୟୁରୋ : ନକ୍ସଲ ନେଇ ଯାଇଥିବା ବିସ୍ଫୋରକ ସାମଗ୍ରୀ ଖୋଜିବାକୁ ଚାଲିଛି ବଡ଼ ଅପରେସନ୍ । ପଡୋଶୀ ରାଜ୍ୟ ସହ ମଧ୍ୟ ସହଯୋଗ କରାଯାଉଛି । ବିସ୍ଫୋରକ ନମିଳିବା ପର୍ଯ୍ୟନ୍ତ ଅପରେସନ୍‌ ଜାରି ରହିବ । କିଛି ସାମଗ୍ରୀ ଗତକାଲି ଉଦ୍ଧାର ହୋଇଥିବା ବେଳେ ଆହୁରି ଅନେକ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି । ସୁନ୍ଦରଗଡ଼ ସୀମାରୁ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ପିସିସିଏଫ୍, ଆଇପିଏସ୍ ଚରଣ ସିଂ ମୀନା ପ୍ରମୁଖ ଉପସ୍ଥିତ ଥିଲେ ।

Advertisment

ସୁନ୍ଦରଗଡ଼ ବାଙ୍କୋ ପଥର ଖଣିରୁ ସଶସ୍ତ୍ର ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଗାଡ଼ି ଲୁଟ୍‌ ହେବାର ତିନି ଦିନ ପରେ ସରଣ୍ଡା ଜଙ୍ଗଲର ତିର୍ଲିପୋଷିଠାରେ ଗତକାଲି କିଛି ଲୁଟ୍‌ ବିସ୍ଫୋରକର ସନ୍ଧାନ ମିଳିଥିଲା । ତିର୍ଲିପୋଷି ଜଙ୍ଗଲରେ ସର୍ଚ୍ଚ ଅପରେସନ‌୍ ଚାଲିଥିବା ବେଳେ ଯବାନମାନେ ଲୁଟ୍‌ ହୋଇଥିବା ବିସ୍ଫୋରକର ସନ୍ଧାନ ପାଇଥିଲେ । ଯବାନମାନଙ୍କୁ ଦେଖିବା ମାତ୍ରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏକ ଘଣ୍ଟା ଧରି ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ତେବେ ସବୁ ବିସ୍ଫୋରକ ନମିଳିବା ଯାଏଁ ତଦନ୍ତ ଚାଲିବା ନେଇ ରହିଛି ସୂଚନା ।