କନକ ବ୍ୟୁରୋ: ଭାରତ ସରକାର୍ GST ଢାଞ୍ଚାରେ ବଡ଼ ପରିବର୍ତ୍ତନ କରି ଅଟୋ ସେକ୍ଟରକୁ ଆଶ୍ୱସ୍ତି ଦେଇଛନ୍ତି । ବର୍ତ୍ତମାନ ଛୋଟ କାର୍ ଏବଂ ମଧ୍ୟମ ଆକାର୍ର ଯାନ ଉପରେ ଟିକସ ହାର ୧୮%କୁ ହ୍ରାସ କରାଯାଇଛି । କିନ୍ତୁ ଲଗ୍ଜରି(Luxury) କାର୍ ଏବଂ ବଡ଼ SUV ଉପରେ ୪୦% ଟିକସ ଲାଗିବ । ବଡ଼ କଥା ହେଉଛି ପୂର୍ବରୁ ଲାଗୁଥିବା ଉପକର (Cess) ହଟାଇ ଦିଆଯାଇଛି । ଏହାଦ୍ୱାରା ଛୋଟ କାର୍ ଗୁଡ଼ିକର ମୂଲ୍ୟରେ ବହୁତ ହ୍ରାସ ଏବଂ ବଡ଼ ଗାଡ଼ିଗୁଡ଼ିକରେ ମଧ୍ୟ ସାମାନ୍ୟ ହ୍ରାସ ଦେଖିବାକୁ ମିଳିବ ।
ଛୋଟ କାର୍ ଶସ୍ତା ହେଲା
ନୂଆ ଟିକସ ବ୍ୟବସ୍ଥାର ସବୁଠୁ ଅଧିକ ଲାଭ ଛୋଟ କାର୍ଗୁଡ଼ିକୁ ମିଳିବ । ପୂର୍ବରୁ ୪ ମିଟରରୁ କମ୍ ଲମ୍ବ ଏବଂ ଛୋଟ ଇଞ୍ଜିନ୍ ଥିବା ଗାଡ଼ିଗୁଡ଼ିକ ଉପରେ ୨୯-୩୧% ପର୍ୟ୍ୟନ୍ତ ଟିକସ ଲାଗୁଥିଲା, ବର୍ତ୍ତମାନ ଏହା ୧୮% କୁ ହ୍ରାସ ପାଇଛି । ଏହାର ଅର୍ଥ ହେଉଛି ଯେ କାର୍ର ଏକ୍ସ-ଶୋ'ରୁମ୍ ମୂଲ୍ୟରେ ୧୨-୧୨.୫% ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଉଦାହରଣ ସ୍ୱରୂପ, ୫ ଲକ୍ଷ ଟଙ୍କାର୍ କାର୍ ବର୍ତ୍ତମାନ ପ୍ରାୟ ୪.୩୮ ଲକ୍ଷ ଟଙ୍କାର୍େ ମିଳିପାରେ ।
ପସନ୍ଦର କାର୍ ଶସ୍ତା ହେଲା
ମାରୁତି ସୁଜୁକି ଅଲ୍ଟୋ K10 ବର୍ତ୍ତମାନ ପୂର୍ବ ଅପେକ୍ଷା ପ୍ରାୟ ୪୨ ହଜାର ଟଙ୍କା ଶସ୍ତା ହୋଇଯିବ । ଏହାର ମୂଲ୍ୟ ୪.୨୩ ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ୍)ରୁ ହ୍ରାସ ପାଇ ପ୍ରାୟ ୩.୮୧ ଲକ୍ଷ ଟଙ୍କା ହୋଇପାରେ । ମାରୁତି ସୁଜୁକି ସ୍ୱିଫ୍ଟ ଏବଂ ଡିଜାୟାର ଉପରେ ମଧ୍ୟ ୧୮% ଟିକସ ଲାଗୁ ହେବ । ଅନୁମାନ କରାଯାଉଛି ଯେ ଉଭୟ କାର୍ର ମୂଲ୍ୟ ପ୍ରାୟ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ ।
ହ୍ୟୁଣ୍ଡାଇ ଗ୍ରାଣ୍ଡ i10ର ମୂଲ୍ୟ ପ୍ରାୟ ୪୭,ହଜାର ଟଙ୍କା ହ୍ରାସ ପାଇବ । ଏହାର ମୂଲ୍ୟ ୫.୯୮ ଲକ୍ଷ ଟଙ୍କାରୁୁ ହ୍ରାସ ପାଇ ପ୍ରାୟ ୫.୫୧ ଲକ୍ଷ ଟଙ୍କା ରହିପାରେ । ମାରୁତି ସୁଜୁକି ଏସ୍-ପ୍ରେସୋର ମୂଲ୍ୟ ୪.୨୬ ଲକ୍ଷ ଟଙ୍କାରୁ ହ୍ରାସ ପାଇ ପ୍ରାୟ ୩.୮୩ ଲକ୍ଷ ଟଙ୍କା ହୋଇଯିବ । ଟାଟା ଟିଆଗୋର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହ୍ରାସ ପାଇବ । ପୂର୍ବରୁ ଏହା ୫.୬୫ ଲକ୍ଷ ଟଙ୍କାରେ ମିଳୁଥିଲା, ବର୍ତ୍ତମାନ ୫.୧୫ ଲକ୍ଷ ଟଙ୍କାର୍ୁ ଆରମ୍ଭ ହେବ ।
ରେନୋଲ୍ଟ କ୍ୱିଡ୍ ପ୍ରାୟ ୪୦ ହଜାର ଟଙ୍କା ଶସ୍ତା ହୋଇପାରେ । ଟାଟା ନେକ୍ସନ, ଯାହା ଦେଶର ସବୁଠୁ ଅଧିକ ବିକ୍ରି ହେଉଥିବା SUV ମଧ୍ୟରୁ ଗୋଟିଏ, ବର୍ତ୍ତମାନ ୮୦,ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ।
ବଡ଼ SUV ଦାମ କମିଲା
ବଡ଼ ଗାଡ଼ି ଏବଂ SUV ଉପରେ ବର୍ତ୍ତମାନ ୪୦% GST ଲାଗିବ । ପୂର୍ବରୁ ଏଗୁଡ଼ିକ ଉପରେ ୪୫-୫୦% ପର୍ଯ୍ୟନ୍ତ ଟିକସ ଆଦାୟ କରାଯାଉଥିଲା । ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ମହିନ୍ଦ୍ରା ଥାର, ସ୍କର୍ପିଓ, ହୁଣ୍ଡାଇ କ୍ରେଟା ଏବଂ ଟୋୟୋଟା ଇନୋଭା କ୍ରିଷ୍ଟା ଭଳି କାର୍ଗୁଡ଼ିକର ମୂଲ୍ୟରେ ୩% ରୁ ୧୦% ପର୍ଯ୍ୟନ୍ତ ହ୍ରାସ ପାଇବ । ହୁଣ୍ଡାଇ କ୍ରେଟା ଉପରେ ପୂର୍ବରୁ ୪୩% ଟିକସ ଲାଗୁଥିଲା, ବର୍ତ୍ତମାନ ଏହା ୪୦%କୁ ହ୍ରାସ ପାଇଛି । ଫଳରେ ଏହାର ମୂଲ୍ୟରେ ପ୍ରାୟ ୩% ହ୍ରାସ ହେବ । ମହିନ୍ଦ୍ରା ଥାର ଉପରେ ପୂର୍ବରୁ ୪୫-୫୦% ପର୍ଯ୍ୟନ୍ତ ଟିକସ ଲାଗୁଥିଲା, ବର୍ତ୍ତମାନ କେବଳ ୪୦% ଲାଗିବ, ଯାହାଦ୍ୱାରା ଏହି ଲାଇଫ୍ଷ୍ଟାଇଲ୍ SUV ମଧ୍ୟ ଶସ୍ତା ହେବ। ମହିନ୍ଦ୍ରା ସ୍କର୍ପିଓ ଏବଂ ଟୋୟୋଟା ଇନୋଭା କ୍ରିଷ୍ଟା ଭଳି ଗାଡ଼ିଗୁଡ଼ିକ ଉପରେ ମଧ୍ୟ ୫୦% ଟିକସ ବଦଳରେ ବର୍ତ୍ତମାନ କେବଳ ୪୦% GST ଲାଗିବ।
GST 2.0 ଦ୍ୱାରା ଛୋଟ ଏବଂ ମଧ୍ୟମ ଧରଣର କାର୍ଗୁଡ଼ିକ କମ ମୂଲ୍ୟରେ ମିଳିବ । ଏହା ଏଣ୍ଟ୍ରି-ଲେବଲ ବଜାରକୁ ପ୍ରୋତ୍ସାହିତ କରିବ ଏବଂ ଉପଭୋକ୍ତାମାନଙ୍କୁ ବଡ଼ ସଞ୍ଚୟ କରିବାରେ ସାହାଯ୍ୟ କରିବ । ଅନ୍ୟପକ୍ଷରେ, ବଡ଼ SUV ଏବଂ ଲଗ୍ଜରି(Luxury) କାର୍ଗୁଡ଼ିକର ମୂଲ୍ୟ ବି ସାମାନ୍ୟ ହ୍ରାସ ଘଟିବ ।