କନକ ବ୍ୟୁରୋ: ଉତ୍ତର ବାଲେଶ୍ଵରର ବଡ଼ ବନ୍ୟା ଆଶଙ୍କା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ। ପାଣି ଘେରରେ ୩୦ ରୁ ଅଧିକ ଗାଁ। ବାଲେଶ୍ଵରର ବୁଢାବଳଙ୍ଗ, ଜଳକା, ସୁବର୍ଣ୍ଣରେଖା ଏବଂ ପଳପଳା ନଦୀର ବନ୍ୟା ଜଳ ଆସି ସମଗ୍ର ଉତ୍ତର ବାଲେଶ୍ଵରକୁ ଦୋହଲାଇ ଦେଇଛି। ସମସ୍ତ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳକା ନଦୀର ବନ୍ୟା ଆସି ବସ୍ତା ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ଏବଂ ସଦର ବ୍ଲକର ପାଖାପାଖି ୫ ଟି ପଞ୍ଚାୟତ ଜଳମଗ୍ନ ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମି ରହିଥିବା ବେଳେ ଅନେକ ରାସ୍ତା ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି। ଯାତାୟତ ବାଧାପ୍ରାପ୍ତ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପଟେ ପଳପଳା ନଦୀର ବନ୍ୟା ଆସି ପୁରସ୍ତମପୁର,କୁଳିଦା,ଦରଡା ମୁକୁଳିସି,ପୁଟୁରା,ନାଇକୁଡି ପଞ୍ଚାୟତର ଚାଷ ଜମିରେ ପାଣି ମାଡିଯାଇଛି। ସେହିପରି ସୁବର୍ଣ୍ଣରେଖା ନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବସ୍ତା ବାଲିଆପାଳ ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ତଳିଆ ଅଞ୍ଚଳରେ ଜଳମଗ୍ନ ହୋଇଛି। ଜଳସ୍ତର ବୃଦ୍ଧି ପାଉଥିବାରି ମଧ୍ୟମ ଧରଣର ବନ୍ୟା ହେବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ସେଥିପାଇଁ ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଛି । ଆବଶ୍ୟକ ପଡିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଈଁ ନିର୍ଦ୍ଦେଶ ଦିଆଯାଇଛି।  ବାଲେଶ୍ବର ଜିଲ୍ଲାପାଳ, ବାଲିଆପାଳ ତହସିଲଦାର ଏବଂ ବିଡ଼ିଓ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହିତ ଆଲୋଚନା କରୁଛନ୍ତି। ଯାତାୟତ ପାଇଁ ଦେଶୀ ଡଙ୍ଗା, ଯନ୍ତ୍ର ଚାଳିତ ଡଙ୍ଗା ବ୍ୟବସ୍ଥା କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଟିମ୍,ଏନଡିଆରଏଫ ଟିମ୍ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ବାଲେଶ୍ବର ଗସ୍ତରେ ଯିବାର ଅଛି।

ସେପଟେ ସୁବର୍ଣ୍ଣରେଖା ନଦୀ ବନ୍ୟାରେ ବିଛିନ୍ନ ହେଲେ ୫ ଗାଁର ୧ ହଜାରରୁ ଅଧିକ ପରିବାର। ଲୋକଙ୍କ ସୁରକ୍ଷା ପାଇଁ ଡ଼ଙ୍ଗା ପାର ହୋଇ ଟାପୁ ଉପରେ ଜୀବନ କାଟୁଥିବା ଲୋକଙ୍କ ପାଖରେ ପହଞ୍ଚି ବୁଝାସୁଝା କଲେ ସରପଞ୍ଚଙ୍କ ପ୍ରତିନିଧି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁମ୍ଭୀରଗଡି ପଞ୍ଚାୟତର ୫ ଟି ଗାଁର ପାଖାପାଖି ୧୨୦୦ ପରିବାର ଏବେ ପାଣି ଘେରରେ । ସନ୍ଧ୍ୟା ସମୟରେ ପାଣି ଅଧିକ ବଢିବା ନେଇ ଆଶଙ୍କା କରିଛନ୍ତି ଗାଁ ଲୋକେ । ଏହାକୁ ନେଇ ସ୍ଥାନୀୟ ସରପଞ୍ଚ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ସହିତ ପାଣି ବଢିଲେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବେ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ଭୋଗରାଇର ୧୫ରୁ ଅଧିକ ଗାଁ ଏବେ ଜଳମଗ୍ନ ହୋଇରହିଛି। । ସେପଟେ ପାଣି ଘେରରେ ଥିବା ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।