କନକ ବ୍ୟୁରୋ :  ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ନନ୍ଦନଗର ଅଞ୍ଚଳରେ ଗତ ରାତିରେ ହୋଇଥିବା ବାଦଲଫଟା ବର୍ଷା ୩ଟି ଗ୍ରାମରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଏଥିରେ ଜଣକର ମୃତ୍ୟୁ ହୋଇଛି ଏବଂ ୧୨ ଜଣ ନିଖୋଜ ଅଛନ୍ତି । ରିପୋର୍ଟ ଅନୁଯାୟୀ  କୁନ୍ତରି ଲଗାଫଳି, ସରପାଣି ଓ ଧୁର୍ମା ସର୍ବାଧିକ ପ୍ରଭାବିତ ହୋଇଛି । 

Advertisment

ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବାପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ଜାରି ରହିଥିବାବେଳେ ଜଣଙ୍କର ମୃତଦେହ ଆବର୍ଜନା ତଳୁ ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଗତ ରାତିରେ ହଠାତ୍‌ ବାଦଲଫଟା ବର୍ଷା ଓ ପାହାଡ଼ର  ଏକ ବଡ଼ ଅଂଶ ଭୁଶୁଡ଼ି ସେମାନଙ୍କ ଘର ଉପରେ ପଡ଼ିଥିଲା। ୩ଟି ଗ୍ରାମର ଶତାଧିକ ଘର ଭାସିଯାଇଥିବା ବେଳେ ଅଞ୍ଚଳର ରାସ୍ତା ଏବଂ ପୋଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି  । 

ଅଧିକାରୀମାନେ କହିଛନ୍ତି, ପ୍ରଭାବିତ ଗାଁରେ ରିଲିଫ୍‌ ଏବଂ ଉଦ୍ଧାର ଅପରେସନ୍‌ ଜାରି ରହିଛି। ଏନ୍‌ଡିଆରଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପ୍ରଭାବିତ ଗାଁ ଗୁଡ଼ିକରେ ମେଡିକାଲ ଟିମ୍‌ ଓ ଆମ୍ବୁଲାନ୍ସ ପହଞ୍ଚିଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି, ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରିବାପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି। ଇତିମଧ୍ୟ‌ରେ   ଉତ୍ତରାଖଣ୍ଡର ସହସ୍ରଧାରାରେ ଗତକାଲିର ବାଦଲଫଟା ବର୍ଷାଜନିତ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଉକ୍ତ ଅଞ୍ଚଳରେ ୧୭ ଲୋକ ଏବେ ବି ନିଖୋଜ ଅଛନ୍ତି । 

ଉଲ୍ଲେଖଯୋଗ୍ୟ, ଗତ କିଛି ସପ୍ତାହ ଧରି ଉତ୍ତରାଖଣ୍ଡର ବିଭିନ୍ନ ଅଂଶରେ ବର୍ଷା ଲାଗି ରହିଛି। ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନେକ ସ୍ଥାନର ବଡ଼ ପଥର ଖଣ୍ଡ ପଡ଼ି ରାସ୍ତା ବନ୍ଦ ରହିଛି।  ଅନେକ ଦୁର୍ଗମ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ଆସନ୍ତା କିଛି ଦିନ ମଧ୍ୟରେ ଅଧିକ ବର୍ଷା ଆକଳନ କରାଯାଇଛି।