କନକ ବ୍ୟୁରୋ: ନୂଆ ସରକାରରେ ଐତିହାସିକ ବଜେଟ ଆସିଲା। ଡବଲ ଇଞ୍ଜିନ ସରକାରରେ ବିକାଶ ରକେଟ ବେଗରେ ଆଗକୁ ବଢିବ ବୋଲି ମନ୍ତ୍ରୀ ବହପ ଦେଖାଇଲେ। କିନ୍ତୁ ଆର୍ଥିକ ବର୍ଷ ଶେଷ ହେବାକୁ ବସିଥିବା ବେଳେ ବିଭାଗର ନୈରାଶ୍ୟଜନକ ପ୍ରଦର୍ଶନ ସରକାରଙ୍କୁ ଏବେ ନାକେଦମ କଲାଣି। ତେଣୁ ଏବେ ଶୋଇଥିବା ବିଭାଗ ଗୁଡିକୁ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟ ଖର୍ଚ୍ଚ ପାଇଁ ଦେଖାଇଛନ୍ତି ମାର୍ଗ।
- ମୁଖ୍ୟମନ୍ତ୍ରୀଙ୍କ ତାଗିଦ, ଚାପରେ ମନ୍ତ୍ରୀ ଓ ସଚିବ
- ଆଗରୁ ଶୋଇଥିଲେ, ଏବେ ତରତର
- ପର୍ଯ୍ୟଟନ ବିଭାଗ ଖର୍ଚ୍ଚ କରିଛି ୪.୬୭%
- ଖାଦ୍ୟ ଯୋଗାଣ ବିଭାଗ ଖର୍ଚ୍ଚ କରିଛି ୪.୮୧%
- କ୍ରୀଡା ଯୁବ ବ୍ୟାପାର ବିଭାଗ ଖର୍ଚ୍ଚ କରିଛି ୫.୬୭%
ଆର୍ଥିକ ବର୍ଷ ଶେଷ ହେବାକୁ ହାତରେ ପାଖାପାଖି ୨ ମାସ ରହିଛି। କିନ୍ତୁ ରାଜ୍ୟ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିବା ଏଭଳି କିଛି ପ୍ରମୁଖ ବିଭାଗର ଖର୍ଚ୍ଚ ଏତେ ନଗଣ୍ୟ ଯେ, ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି। ବିଭାଗୱାରୀ ପ୍ରଦର୍ଶନର ରିପୋର୍ଟ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରୀପରିଷଦ ବୈଠକ ଡାକି ଖର୍ଚ୍ଚ କରିପାରୁନଥିବା ବିଭାଗ ଗୁଡିକୁ ତାଗିଦ କରିଛନ୍ତି। ସିଧାସଳଖ କହିଛନ୍ତି, ବଜେଟ ପୂର୍ବରୁ ୨ ମାସ ମଧ୍ୟରେ ଶତ ପ୍ରତିଶତ ଖର୍ଚ୍ଚ କର। ଗୁରୁମନ୍ତ୍ର ଦେଇଛନ୍ତି, ଦୀର୍ଘସୂତ୍ରୀ ଯୋଜନା ଆଣ। ପୁରୁଣା ଢାଞ୍ଚାରୁ ବାହାର। ନିଜ ବିଭାଗକୁ ଶକ୍ତିଶାଳୀ କର।
- ବାହାଘର ବେଳେ ବାଇଗଣ ରୁଆ !
- ୨ ମାସ ଭିତରେ କେମିତି ଖର୍ଚ୍ଚ ହେବ ଟଙ୍କା?
ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର ବିଭାଗକୁ ହାତଖୋଲା ଖର୍ଚ୍ଚ କରିବା ପାଇଁ ବାଟ ଦେଖାଇଛି। ପ୍ରଶ୍ନ ଉଠୁଛି, କାହିଁକି ୭ ମାସ ହେବ ଖର୍ଚ୍ଚ ହୋଇପାରୁନଥିଲା ବ୍ୟୟବରାଦ ହୋଇଥିବା ଟଙ୍କା? ଇଚ୍ଛାଶକ୍ତିର ଅଭାବ ନା ମନ୍ତ୍ରୀ ଓ ଅଧିକାରୀଙ୍କ ଅବହେଳା? ୨ ମାସ ମଧ୍ୟରେ କେଉଁ ବାଟରେ ଓ କେଉଁ ଯୋଜନାରେ ଖର୍ଚ୍ଚ ହେବ ଟଙ୍କା? ଏସବୁ ଭିତରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଯୋଗାଣ ବିଭାଗର ମନ୍ତ୍ରୀ ସଫେଇ ରଖି କହିଛନ୍ତି, ଆର୍ଥିକ ବର୍ଷ ଶେଷ ବେଳକୁ ୯୫% ଟଙ୍କା ଶେଷ ହୋଇଥିବ। ବିରୋଧୀ ବିଜେଡି କାଉଣ୍ଟର କରି କହିଛି, ଲୋକଦେଖାଣିଆ ବଜେଟ କଲେ। କିନ୍ତୁ ଖର୍ଚ୍ଚ କରିବାର ବାଟ ପାଇଲେନି।
ନୂଆ ସରକାରକୁ ୭ ମାସ ବିତିଲାଣି। କିନ୍ତୁ ବଜେଟ ଖର୍ଚ୍ଚ କରିବାରେ କିଏ ସାଜିଥିଲା ବାଧକ? ଲୋକଙ୍କ ସରକାରରେ କାହିଁକି ଲୋକଙ୍କ ପାଇଁ ଖର୍ଚ୍ଚ ହେଉନଥିଲା ଟଙ୍କା। ପ୍ରଶ୍ନ ଉଠୁଛି, ୨ ମାସର କଣ୍ଟ ଭିତରେ ଖର୍ଚ୍ଚ କରିବାକୁ ଥିବାରୁ ନୂଆ କେଳେଙ୍କାରୀ ଜନ୍ମ ନେବନି ତ?