କନକ ବ୍ୟୁରୋ : ଖଲିସ୍ତାନୀ ଆତଙ୍କୀଙ୍କୁ ନେଇ ଭାରତ ଓ କାନାଡା ମଧ୍ୟରେ ବିଗତ କିଛି ଦିନ ଧରି ଚାଲିଥିବା ବିବାଦ ଥଣ୍ଡା ପଡିପାରେ । ଏହି ସମ୍ଭାବନା ଏଥିପାଇଁ ଦେଖାଦେଇଛି କାରଣ ଜି-୭ ସମ୍ମିଳନୀରେ ଉଭୟ ରାଷ୍ଟ୍ରନେତାଙ୍କ ସକରାତ୍ମକ ବୈଠକ ଓ କୂଟନୀତିସ୍ତରରେ  କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଉଭୟ ଦେଶରେ ବନ୍ଦ ପଡିଥିବା ଭାରତ ଓ କାନାଡା ଦୂତାବାସ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

Advertisment

ଭାରତ ଓ କାନାଡା ମଧ୍ୟରେ ଦୀର୍ଘଦିନ ହେବ ଯେଉଁ ବିବାଦ,ତିକ୍ତତା ଚାଲିଥିଲା ସେଗୁଡିକୁ କ୍ରମଶଃ ଥଣ୍ଡା ପଡିଲାଣି । କାନାଡାରେ ଆୟୋଜିତ ଜି-ସେଭେନ ସମ୍ମିଳନୀ ସମୟରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନେ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ବେଶ ଉତ୍ସାହର ସହ ଏହି ଭେଟଘାଟ ସଙ୍କେତ ଦେଉଛି ଉଭୟ ଦେଶ ମଧ୍ୟରେ ସବୁ ଠିକ ହେଉଛି । ସବୁଠୁ ବଡ କଥା ହେଉଛି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଉଭୟ ଦେଶ ମିଳିତଭାବେ ବଡ ନିଷ୍ପତ୍ତି ନେଇ ନିଜ ନିଜ ଦେଶରେ ପୁଣି ଭାରତ ଓ କାନାଡା ଦୂତାବାସ ଖୋଲିବେ । ତେବେ ସାକ୍ଷାତକୁ ନେଇ  ଉଭୟ ରାଷ୍ଟ୍ରନେତା ମିଳିତ ବିବୃତି ଜାରି କରିଛନ୍ତି ।

୨୦୨୩ରେ ଖଲିସ୍ତାନୀ ନେତା ନିଜ୍ଜରର ହତ୍ୟା ପାଇଁ ଭାରତକୁ ସିଧାସଳଖ ଦାୟୀ କରିଥିଲା କାନାଡା । ଅନ୍ୟ କିଛି ଖଲିସ୍ତାନୀ ନେତାଙ୍କ ହତ୍ୟା ପଛରେ ଭାରତର ହାତ ଥିବା ଦାବି କରିବା ସହ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପ୍ରସଙ୍ଗ ଉଠାଇଥିଲେ କାନାଡାର ତତ୍କାଳୀନ ଟ୍ରୁଡୋ ସରକାର । ଏହି ଅଭିଯୋଗକୁ ଭାରତ ଖଣ୍ଡନ କରିବା ସହ ଠୋସ ପ୍ରମାଣ ମାଗି କାନାଡାର ମୁହଁ ବନ୍ଦ କରିଥିଲା । ଏବେ ସରକାର ବଦଳିଛି ଓ ସମ୍ପର୍କରେ ମଧ୍ୟ ସୁଧାର ଆସିଲାଣି । ଭାରତ ଓ କାନାଡା କୂଟନୀତି ସମ୍ପର୍କକକୁ ନୂଆ ତଥା ସକରାତ୍ମକ ଦିଗ ମିଳିବା ନେଇ ଆଶା କରାଯାଉଛି ।