କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ମିଛ ଭତ୍ତା ବହି କରି ଭତ୍ତା ଦେଇ ଭୋଟ୍ ହାତେଇବାକୁ ଚେଷ୍ଟା କଲେ। ଆଉ ନିର୍ବାଚନୀ ବୈତରଣୀ ପାର ହେବା ପରେ, ଭତ୍ତା ବନ୍ଦ କରିଦେଲେ। ସେପଟେ ହିତାଧିକାରୀ ବୁଝିପାରୁ ନାହାନ୍ତି, ପ୍ରକୃତରେ କ’ଣ ଘଟିଛି, କ’ଣ ଭୁଲ ରହିଗଲା? କାହିଁକି ଏବେ ଭତ୍ତା ମିଳୁନାହିଁ। ଏନେଇ ସେମାନେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ହତାଶ ହେଲେ। ଭତ୍ତାକୁ ନେଇ ଏପରି ସାଂଘାତିକ ଦୁର୍ନୀତିର ଖବର ଆସିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ କଟରପା ପଞ୍ଚାୟତରୁ।

Advertisment
  • ନିର୍ବାଚନ ପୂର୍ବରୁ ମିଛ ଭତ୍ତା ଦେଲେ
  • ନିର୍ବାଚନ ସରିଲା, ଭତ୍ତା ବନ୍ଦ କରିଦେଲେ
  • ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ବଡ଼ ଦୁର୍ନୀତି

bhatta

ଏହି ବୟସ୍କ ବ୍ୟକ୍ତି ହେଉଛନ୍ତି ସାଲେପୁର ବ୍ଲକ କଟରପା ପଞ୍ଚାୟତ ଜାଗୁଳେଇପଡା ଗାଁର ବାସିନ୍ଦା। କାହିଁକି ସେମାନଙ୍କ ଭତ୍ତା ବନ୍ଦ ହୋଇଯାଇଛି, ଏହା ଜାଣିବାକୁ ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ। ନିର୍ବାଚନ ତିନି, ଚାରି ମାସ ପୂର୍ବରୁ ଏହି ହିତାଧିକାରୀମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଥିଲା। ହେଲେ ନିର୍ବାଚନ ସରିବା ପରଠୁ ଆଉ ଭତ୍ତା ମିଳୁ ନାହିଁ। ଏହାକୁ ନେଇ ସେମାନେ ପଞ୍ଚାୟତ କାର୍ଯ୍ୟାଳୟ ଯାଇ କାରଣ ପଚାରିଥିଲେ। ହେଲେ ପଞ୍ଚାୟତ ଅଧିକାରୀ କହିଥିଲେ, ସେମାନଙ୍କ ନାଁରେ ଭତ୍ତା ହୋଇନାହିଁ, ବରଂ ସେମାନଙ୍କୁ ହାତରୁ ଏହି ଭତ୍ତା ଦିଆଯାଇଥିଲା। ଏଥିରୁ ଗୋଟିଏ ସ୍ପଷ୍ଟ ହେଉଛି, ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବଣ୍ଟା ଯାଇଥିଲା ନକଲି ଭତ୍ତା। 

ନିର୍ବାଚନ ପୂର୍ବରୁ ଭତ୍ତା ବହି ମିଳିଥିଲା। ଫଳରେ ସେମାନେ ଭତ୍ତା ପାଇବାକୁ ଯୋଗ୍ୟ ଭାବେ ପଞ୍ଜୀକୃତ ହୋଇସାରିଛନ୍ତି ବୋଲି ବିଶ୍ବାସ ଜନ୍ମିଲା, ଭତ୍ତା ବି ମିଳିଲା। ହେଲେ ଏବେ ଜଣାପଡ଼ୁଛି, ସେହି ଭତ୍ତା ବହି ନକଲି ଥିଲା।

ତେବେ କାହିକଁ ଏବେ ଭତ୍ତା ମିଳୁ ନାହିଁ, ଏହାକୁ ନେଇ ହିତାଧିକାରୀମାନେ ସରପଞ୍ଚଙ୍କଠୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡି ନୟାନ୍ତ ହେଲେଣି। ହେଲେ କିଛି ସୁଫଳ ମିଳୁ ନାହିଁ। ଏନେଇ  ସାଲେପୁର ବ୍ଲକ ବିଡ଼ିଓ ଖଗେଶ୍ୱର ପାତ୍ରଙ୍କ ସହିତ ଯୋଗାଯୋଗ କରାଯାଇଥିଲା, ହେଲେ ସେ କ୍ୟାମେରା ଆଗରେ ମତାମତ ଦେବା ପାଇଁ ଅନିଛା ପ୍ରକାଶ କରିଥିଲେ। ତେବେ ତଦନ୍ତ ପରେ ଜାଗୁଳେଇପଡା ଗ୍ରାମରେ ଦିଆ ଯାଇଥିବା ଭତ୍ତା ସରକାରଙ୍କ ପକ୍ଷରୁ ଦିଆଯାଇନାହିଁ ବୋଲି କହିଛନ୍ତି। 

ଗୁରୁତ୍ୱପୂର୍ଣ୍ଣ କଥା ହେଲା, କିଏ ନିର୍ବାଚନ ପୂର୍ବରୁ ଭତ୍ତା ବାଣ୍ଟିଥିଲା, ତାହା ଏଯାଏଁ ଜଣାପଡ଼ୁ ନାହିଁ। ପ୍ରଶ୍ନ ଉଠୁଛି, ଯଦି ବିଡ଼ିଓ ତଦନ୍ତ କରି ମିଛ ଭତ୍ତା ଦିଆଯାଉଥିବା ଜାଣିବାକୁ ପାଇଛନ୍ତି, ତାହେଲେ...

  • କାହିଁକି ଥାନାରେ ଏଯାଏଁ ଅଭିଯୋଗ କରି ନାହାନ୍ତି ?
  • କାହିଁକି ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ?
  • କାହାକୁ ସୁରକ୍ଷା ଦେବା ପାଇଁ ବିଡ଼ିଓ ଚୁପ ବସିଛନ୍ତି?

ତୁରନ୍ତ ଦୋଷୀଙ୍କ  ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଭତ୍ତା ପୁଣି ଥରେ ଚାଲୁ କରିବାକୁ ହିତାଧିକାରୀ ଦାବି କରିଛନ୍ତି।