କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିଗମରେ ରାସ୍ତା ନିର୍ମାଣରେ ବଡ଼ ଦୁର୍ନୀତି । କୋର୍‌ କଟିଂ ବେଳେ ସାମ୍ନାକୁ ଆସିଲା ସତ । ହେ‌ଲେ ଫାଇନାଲ୍‌ ବିଲ୍‌ ଠିକାଦାରକୁ ଦେବା ପୂର୍ବରୁ କାହିଁକି ଯାଞ୍ଚ କରାଯାଇନଥିଲା, ତାହା ଏବେ ବଡ଼ ପ୍ରଶ୍ନ। 
ଉପର ରାସ୍ତା ଚକାଚକ୍, ଭିତର କିନ୍ତୁ ପୂରା ଫମ୍ପା। ରାସ୍ତା ନିର୍ମାଣ ବେଳେ ବ୍ୟବହାର ହୋଇନି ଆବଶ୍ୟକ ମୁତାବକ ସାମଗ୍ରୀ । ଲାବ୍ ଟେଷ୍ଟ ରିପୋର୍ଟରୁ ଏ ତଥ୍ୟ ସାମ୍ନାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ବିଇଏମସି। ଗେଟ୍‌ ବଜାର ମଂଜରି ନଗରଠାରେ ନିର୍ମାଣ ହୋଇଥିବା ରାସ୍ତା ନିମ୍ନମାନର ବୋଲି ପ୍ରମାଣ ମିଳିବା ପରେ ସଂପୃକ୍ତ ଠିକାଦାରଙ୍କୁ କାରଣଦର୍ଶାଅ ନୋଟିସ୍‌ ହୋଇଛି । ତା ସହ ଯାଞ୍ଚ କରି ସବୁ କିଛି ଠିକ୍‌ ଥିବା ନେଇ ରିପୋର୍ଟ ଦେଇଥିବା ସମ୍ପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ବି କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି ।

Advertisment

ଅଧିକ ପଢ଼ନ୍ତୁ :   ଗ୍ରେଟର ବ୍ରହ୍ମପୁର ପାଇଁ ରାତି ଅନିଦ୍ରା ପ୍ରଶାସନ: ସରୁନି ଫାଇଲ୍‌ ଚାଷ, ଦେଖାଦେଉଛି ନୂଆ ସମସ୍ୟା

ମଞ୍ଜରି ନଗରଠାରେ ନିମ୍ନମାନର ରାସ୍ତା କାମର ପ୍ରମାଣ ମିଳିବା ପରେ ଗତବର୍ଷ ନିର୍ମାଣ ହୋଇଥିବା ସମସ୍ତ ରାସ୍ତାର କୋର୍‌ କଟିଂ କରି ରି‌ପୋର୍ଟ ମାଗିଛନ୍ତି ବିଇଏମସି କମିସନର । ଅନ୍ୟପଟେ ଟେଣ୍ଡର ପରିମାଣଠାରୁ କମ୍‌ ପରିମାଣର ଫାଇନାଲ୍‌ ବିଲ୍‌ ହେଉଥିବା କିଛି ଠିକାଦାର ଅଭିଯୋଗ କରୁଛନ୍ତି। ସେଥିପାଇଁ କାମ ଖରାପ ହେଉଥିବା କୁହାଯାଉଛି । ପ୍ରଶ୍ନ ଉଠୁଛି, ରାସ୍ତା ନିର୍ମାଣ ବେଳେ ଯନ୍ତ୍ରୀମାନେ କେବଳ ବୁଲି ପଳାଇ ଆସୁଛନ୍ତି କି? ରାସ୍ତା କାମ ବିଲ୍‌ ଅନୁମୋଦନ ପଛରେ ହେଉଛି କି ପିସି କାରବାର ? ସହର ସାରା ସବୁ ରାସ୍ତାର ଉଚ୍ଚସ୍ତରୀୟ ଯାଞ୍ଚ ହେଲେ ବହୁ ଗୁମର ପଦାକୁ ଆସିପାରନ୍ତା ବୋଲି କୁହାଯାଉଛି ।

  • ୩୧୫ ମିଟର ରାସ୍ତା ଲାଗି ୨୪ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ  ମିଳିଥିଲା
  • ଯାଞ୍ଚ ପରେ ରାସ୍ତା ନିର୍ମାଣ ଠିକ୍‌ ଥିବା ରିପୋର୍ଟ ଦେଇଥିଲେ କନିଷ୍ଠ ଯନ୍ତ୍ରୀ
  • ପରେ ସମ୍ପୃକ୍ତ ଠିକାଦାରଙ୍କୁ ଗତବର୍ଷ ଫାଇନାଲ୍‌ ବିଲ୍‌ ଦିଆଯାଇଥିଲା
  • ଗତ ୨୨ ତାରିଖରେ ମଞ୍ଜରୀ ନଗରଠାରେ କୋର୍‌ କଟିଂ ହୋଇଥିଲା
  • ନିମ୍ନମାନର କାମ ନେଇ ଲାବ୍‌ ଟେଷ୍ଟ ରିପୋର୍ଟରେ ଉଲ୍ଲେଖ
  • ଅନ୍ୟ ୩ଟି ରାସ୍ତାର ଯାଞ୍ଚ ରିପୋର୍ଟକୁ ଅପେକ୍ଷା