YUNUS Photograph: (KANAK NEWS)
କନକ ବ୍ୟୁରୋ : ବାଂଲାଦେଶ ନ୍ୟାସନାଲ ପାର୍ଟି (ବିଏନ୍ପି) କ୍ଷମତାକୁ ଆସିବା ପରେ ଜନମତ ସଂଗ୍ରହକୁ ଗ୍ରହଣ କରିବାକୁ ମନା କରିଦେଇଛି । ମଙ୍ଗଳବାର ତାରିକ ରହମାନଙ୍କ ସମେତ ବିଏନ୍ପି ସାଂସଦମାନେ ସାମ୍ବିଧାନିକ ସଂସ୍କାର କମିସନର ସଦସ୍ୟ ଭାବରେ ଶପଥ ନେଇ ନାହାନ୍ତି। ବିଏନ୍ପି ନେତା ସଲାହୁଦ୍ଦିନ ଅହମ୍ମଦଙ୍କ ଅନୁଯାୟୀ, ଆମେ ଏହାକୁ ଗ୍ରହଣ କରୁନାହୁଁ। ବିଏନ୍ପିର ଏଭଳି ଆଭିମୁଖ୍ୟ ଯୋଗୁ ଜୁଲାଇ ଚାର୍ଟରର ଭବିଷ୍ୟତ ଏବେ ଅନିଶ୍ଚିତ ହୋଇଯାଇଛି ।
ବାଂଲାଦେଶରେ ଗଣତନ୍ତ୍ରକୁ ଉନ୍ନତ କରିବା ପାଇଁ, ମହମ୍ମଦ ୟୁନୁସ୍ଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଜୁଲାଇ ଚାର୍ଟର ପ୍ରସ୍ତାବ ଦେଇଥିଲେ। ଏନେଇ ଏକ ଜନମତ ସଂଗ୍ରହ ହୋଇଥିଲା। ଏହା ୫୦ ପ୍ରତିଶତରୁ ଅଧିକ ନାଗରିକଙ୍କ ସମର୍ଥନ ପାଇଥିଲା। ମାତ୍ର ବିଏନ୍ପି ଏବେ ସ୍ପଷ୍ଟ କରିଛି,ଜୁଲାଇ ଚାର୍ଟରକୁ କାର୍ଯ୍ୟକାରୀ କରାଯିବ ନାହିଁ। ଏହା ମହମ୍ମଦ ୟୁନୁସ୍ଙ୍କ ପାଇଁ ଏକ ବଡ଼ ଝଟକା ଆଣିଛି ।
ଅଧିକ ପଢ଼ନ୍ତୁ---ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ ଫାସ , ନବରଙ୍ଗପୁର ଔଷଧ ଦୋକାନୀ ଗିରଫ ; ୧୪ ଲକ୍ଷରୁ ଅଧିକ ଟ୍ରମାଡୋଲ ଜବତ
ବିଏନ୍ପି ସାଂସଦଙ୍କ ପ୍ରତ୍ୟାଖ୍ୟାନ
ବାଂଲାଦେଶୀ ଖବରକାଗଜ ପ୍ରଥମ ଆଲୋ ଅନୁଯାୟୀ, ଜୁଲାଇ ଚାର୍ଟର କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ମଙ୍ଗଳବାରଠାରୁ ଆରମ୍ଭ ହେବାର ଥିଲା। ପ୍ରଥମ ପଦକ୍ଷେପ ସ୍ୱରୂପ, ସମସ୍ତ ସାଂସଦଙ୍କୁ ସାମ୍ବିଧାନିକ ସଂସ୍କାର କମିସନର ସଦସ୍ୟ ଭାବରେ ଶପଥ ଗ୍ରହଣ କରିବାର ଥିଲା। କିନ୍ତୁ ଯେତେବେଳେ ବିଏନ୍ପି ସାଂସଦମାନେ ମଞ୍ଚ ଉପରକୁ ଉଠିଲେ, ସେମାନେ ଶପଥ ଗ୍ରହଣ କରିନଥିଲେ। ଏହି ପ୍ରକ୍ରିୟାର ନେତୃତ୍ୱ ନିଜେ ବିଏନ୍ପି ମୁଖ୍ୟ ତାରିକ ରହମାନ ନେଇଥିଲେ ।
ଜମାତ-ଏ-ଇସଲାମି ମଧ୍ୟ ଗ୍ରହଣ କରିବାକୁ ମନା କଲା
ବାଂଲାଦେଶର ସବୁଠାରୁ ବଡ଼ ବିରୋଧୀ ଦଳ ଜମାତ-ଏ-ଇସଲାମି ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଦେଇଛି। ଜମାତର ନାଏବ୍ ଆମୀର ସୟଦ ଅବଦୁଲ୍ଲା ମହମ୍ମଦ ତାହେର ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ବିଏନ୍ପି ପରି, ଆମର ସାଂସଦମାନେ ମଧ୍ୟ ଶପଥ ଗ୍ରହଣ କରିନାହାନ୍ତି। ଅଗଷ୍ଟ ୨୦୨୪ ରେ, ବାଂଲାଦେଶରେ ଛାତ୍ରମାନଙ୍କ ଦ୍ୱାରା ଜୁଲାଇ ମାସରେ ଆରମ୍ଭ ହୋଇଥିବା ଏକ ବିଦ୍ରୋହ ପରେ ଶେଖ ହାସିନାଙ୍କୁ କ୍ଷମତାଚ୍ୟୁତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୟୁନୁସ୍ଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଥିଲା। ଏହି ସରକାର ଜୁଲାଇ ଚାର୍ଟର ପ୍ରଚଳନ କରିଥିଲେ। ଯେଉଁଥିରେ ଗଣତନ୍ତ୍ରକୁ ଉନ୍ନତ କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପ୍ରସ୍ତାବ ଦିଆଯାଇଥିଲା ।
ଚାର୍ଟରର ପ୍ରମୁଖ ପ୍ରସ୍ତାବ
ଭାରତର ରାଜ୍ୟସଭା ପରି ସଂସଦକୁ ଦ୍ୱି-ସଦନୀୟ କରିବା। ବିଦ୍ୟମାନ ସଂସଦ ସହିତ ଏକ ୧୦୦ ଆସନ ବିଶିଷ୍ଟ ଉଚ୍ଚ ସଦନ ଗଠନ । ପ୍ରଧାନମନ୍ତ୍ରୀ ପଦବୀରେ ଥିବା ବ୍ୟକ୍ତି ଅନ୍ୟ କୌଣସି ପଦବୀରେ ରହିପାରିବେ ନାହିଁ। ଅର୍ଥାତ୍ ଯିଏ ପ୍ରଧାନମନ୍ତ୍ରୀ ହେବେ ତାଙ୍କୁ ଦଳର ସଭାପତି ପଦବୀ ଛାଡିବାକୁ ପଡିବ । ନ୍ୟାୟପାଳିକା ପାଇଁ ଏକ କଲେଜିୟମ୍ ବ୍ୟବସ୍ଥା ପ୍ରସ୍ତାବିତ ହୋଇଥିଲା। ଯେଉଁଥିରେ କେବଳ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତିମାନେ ସାମିଲ ହେବେ । ସଂସଦରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ବିରୋଧୀ ଦଳରୁ ଉପବାଚସ୍ପତି ତଥା ସଂସଦୀୟ କମିଟିର ମୁଖ୍ୟଙ୍କୁ ଚୟନ କରିବା ।
ନ୍ୟାୟପାଳିକାର ସ୍ୱାଧୀନତାକୁ ସୁଦୃଢ଼ ​​କରିବା, ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଏବଂ ଏକ ନିରପେକ୍ଷ ତତ୍ୱାବଧାନକାରୀ ସରକାରର ପୁନରାଗମନ । ଏହି ପ୍ରସ୍ତାବକୁ ବାଂଲାଦେଶର ଗଣତନ୍ତ୍ରକୁ ଉନ୍ନତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଥିଲା , କିନ୍ତୁ ବିଏନ୍ପି ଓ ଜମାତ-ଏ-ଇସଲାମିର ବିରୋଧ ଚାର୍ଟରକୁ ସମସ୍ୟାରେ ପକାଇଛି ।
Follow Us