କନକ ବ୍ୟୁରୋ : ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଆମେରିକା ରାଷ୍ଟ୍ରପତି ବଡ଼ ଆଶା ରଖିଥିଲେ । ଏଥିପାଇଁ ସେ ସବୁବେଳେ ଅମୁକ ଯୁଦ୍ଧ ଅଟକାଇଦେଲେ, ସମୁକ ଶାନ୍ତି ସମାଧାନ କଲେ ବୋଲି କହି ଚାଲିଥିଲେ । କିନ୍ତୁ ଆମେରିକାର ଏକ ଶତ୍ରୁ ଦେଶ ଭେନିଜୁଏଲାର ମାରିଆ କୋରିନା ମାଚଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଟ୍ରମ୍ପ ନିରାଶ ହୋଇଯାଇଛନ୍ତି, ଅସନ୍ତୁଷ୍ଟ ମଧ୍ୟ ଅଛନ୍ତି । ଏହାର ସଙ୍କେତ ମିଳୁଛି ହ୍ବାଇଟ୍ ହାଉସ୍ ପକ୍ଷରୁ ଜାରି ଏକ ବୟାନରୁ । ହ୍ବାଇଟ୍ ହାଉସର ଓଭାଲ୍ ଅଫିସ୍ ଏକ ବୟାନ ଜାରି କରି କହିଛି ଯେ ନୋବେଲ୍ କମିଟି ମାଚାଡୋଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରି ଶାନ୍ତି ଅପେକ୍ଷା ରାଜନୀତିକୁ ପ୍ରାଥମିକତା ଦେଇଛି । ହ୍ୱାଇଟ୍ ହାଉସ୍ ଯୋଗାଯୋଗ ନିର୍ଦ୍ଦେଶକ ଷ୍ଟିଭେନ୍ ଚୁଏଙ୍ଗ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, "ନୋବେଲ୍ କମିଟି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ସ୍ଥାପନ ପାଇଁ ପ୍ରୟାସକୁ ଅଣଦେଖା କରିଛି । ଏହା ସତ୍ତ୍ୱେ ଟ୍ରମ୍ପ ଶାନ୍ତି ପାଇଁ ପ୍ରୟାସ ଜାରି ରଖିବେ। ସେ ଯୁଦ୍ଧ ଶେଷ କରିବେ ଏବଂ ଜୀବନ ବଞ୍ଚାଇବେ। ସେ ମାନବିକ କରୁଣାର ବ୍ୟକ୍ତି ।’’ ଏହା ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି । ତେବେ ମାରିଆଙ୍କ ନାମ ଘୋଷଣା କରି ନରଓ୍ବେ ନୋବେଲ କମିଟି କହିଥିଲା ଯେ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଲାଗି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ନିଜ ଜୀବନ ପ୍ରତି ବିପଦ ଥିଲେ ବି ସେ ନିଜ କାମ କରି ଚାଲିଥିଲେ । ତାଙ୍କୁ ପୁରସ୍କୃତ କରିବା ଲକ୍ଷ ଲକ୍ଷ ଲୋକଙ୍କୁ ଅନୁପ୍ରାଣିତ କରିବ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି ।

Advertisment