କନକ ବ୍ୟୁରୋ: ଋଷ୍ର ଆକ୍ରମଣରେ ୟୁକ୍ରେନ ରାଜଧାନୀ କିଭ୍ ସମେତ ୨୨ଟି ସ୍ଥାନରେ ବିସ୍ଫୋରଣ ହୋଇଛି । ୮୦ରୁ ଅଧିକ ଆବାସିକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି ଓ ୨୭ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି । ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନ୍ସ୍କି ଏହି ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହି ନିନ୍ଦା କରିଛନ୍ତି । ଆମେରିକା ଓ ୟୁରୋପୀୟ ସଂଘରୁ ଋଷିଆ ଉପରେ ନୂଆ କଟକଣା ଲଗାଇବାକୁ ଜେଲେନସ୍କି ଦାବି କରିଛନ୍ତି । ଜେଲେନସ୍କି କହିଛନ୍ତି, ଆମେରିକାର ନିରବତା ଯୋଗୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆକ୍ରମଣ ଜାରି ରଖିଛନ୍ତି । ସେପଟେ ୟୁକ୍ରେନର ବାୟୁସେନା କହିଛି ମସ୍କୋର ସେନା ରାତାରାତି ଟିୟୁ-୯୫ଏମଏସ୍ ବୋମା ବିସ୍ଫୋରଣକାରୀ ବିମାନରୁ ନଅଟି କେଏଚ୍-୧୦୧ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ରେକର୍ଡ ସଂଖ୍ୟକ ଡ୍ରୋନ୍ ନିକ୍ଷେପ କରିଛି ।
ୟୁକ୍ରେନର ବାୟୁ ପ୍ରତିରକ୍ଷା ନଅଟି କ୍ଷେପଣାସ୍ତ୍ର ଏବଂ ୨୩୩ଟି ଡ୍ରୋନ୍ କୁ ଖସାଇ ଦେଇଛି ଏବଂ ୫୫ଟି ଋଷିଆନ୍ ଡ୍ରୋନ୍ ଇଲେକ୍ଟ୍ରୋନିକ୍ ରାଡାରରୁ ଅଦୃଶ୍ୟ ହୋଇଯାଇଛି । ୟୁକ୍ରେନର ଖବରସରବରାହ ସଂସ୍ଥା କିଭ୍ ଇଣ୍ଡିପେଡେଣ୍ଟ ରିପୋର୍ଟ ଅନୁସାରେ ଓବ୍ଲାଷ୍ଟରେ, ଋଷ ରାତାରାତି ଆଉ ଏକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। କୌଣସି ଆହତ ହୋଇଥିବାର ରିପୋର୍ଟ ନାହିଁ, କିନ୍ତୁ ବିସ୍ଫୋରଣରେ ବୋରିସପିଲ୍ ଜିଲ୍ଲାରେ ତିନୋଟି ଘର ଏବଂ ଅନେକ କୋଠା ନଷ୍ଟ ହୋଇଛି । ୟୁରୋପୀୟ ସଂଘ ପକ୍ଷରୁ ଋଷ ଉପରେ କଟକଣା ଲଗାଇବାକୁ ଜେଲେନ୍ସ୍କିଙ୍କ ଦାବି । ଋଷ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ୟୁକ୍ରେନ୍ର ସାମରିକ ହବ୍ ଓ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଟାର୍ଗେଟ୍ କରାଯାଇଛି । ୟୁକ୍ରେନ୍ର ବାୟୁସେନା କହିଛି, ପ୍ରାୟ ଦୁଇ-ତୃତୀୟାଂଶ ମିସାଇଲ୍ ଓ ଅନେକ ଡ୍ରୋନ୍କୁ ଧ୍ୱଂସ କରାଯାଇଛି । ଋଷ୍ର ଆକ୍ରମଣ ପରେ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ୟୁକ୍ରେନ ଉପରେ କରିଥିବା ଆକ୍ରମଣ ପାଇଁ ପାଗଳ କହିଛନ୍ତି । ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି, ପୁଟିନ୍ ଅଯଥାରେ ଅନେକ ଲୋକଙ୍କୁ ମାରୁଛନ୍ତି । ଟ୍ରମ୍ପ କହିଛନ୍ତି, ପୁଟିନ୍ଙ୍କ ସହ ଦୀର୍ଘଦିନର ସମ୍ପର୍କ ରହିଛି, କିନ୍ତୁ ଏହି ଆକ୍ରମଣ ତାଙ୍କୁ ବ୍ୟଥିତ କରିଛି । ଋଷ୍ର ଏଭଳି ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି କ୍ଷୋଭ ପ୍ରକାଶ କରିଛନ୍ତି ।