କନକ ବ୍ୟୁରୋ: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଜର, ତାଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ବାପା । ଭରତପୁର ଥାନା କାଣ୍ଡରେ ସେନା - ପୋଲିସ ମୁହାଁମୁହିଁ ଘଟଣାରେ ମୁଖ୍ୟମନ୍ତ୍ରୀ, ଓ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ମେଜର, ତାଙ୍କ ବାନ୍ଧବୀ ଓ ବନ୍ଧଵୀଙ୍କ ବାପା। ଆଲୋଚନାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା ଆଦି ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘଟଣା ପାଇଁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ହେବ ବିଚାର ବିଭାଗୀୟ ତଦନ୍ତ । ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ କମିଶନ ତଦନ୍ତ କରିବ । ଏହି ମାମଲାରେ ଜଷ୍ଟିସ ଚିତ୍ତରଞ୍ଜନ ଦାଶ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂରା ଘଟଣାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବ । ଘଟଣାର ସତ୍ୟାସତ୍ୟ ବାହାର କରିବା ପ୍ରାଥମିକତା ବୋଲି ସୂଚନା ଦେଇଛନ୍ତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ । ତଦନ୍ତ ପାଇଁ ୬୦ ଦିନ ସମୟ ଦିଆଯାଇଥିବା ବେଳେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି । ତେବେ ଭରତପୁର ଭଳି ଆଦର୍ଶ ଥାନାରେ ସିସିଟିଭି ନରହିବା ପ୍ରଶ୍ନ ସୃଷ୍ଟି କରୁଛି । ଏହି ମାମଲାରେ ଜଣେ ଝିଅର ଚରିତ୍ର ସଂହାର କରିବା ଠିକ୍ ନୁହେଁ ବୋଲି କହିଛନ୍ତି ତଦନ୍ତ କମିଶନ ଅଧ୍ୟକ୍ଷ । ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ଶକ୍ତି ରଞ୍ଜନ ବେହେରା ।