କନକ ବ୍ୟୁରୋ: ପୁରୀରେ ଦଳଚକଟା ଘଟଣାକୁ ରାଜ୍ୟ ସରକାର ବରଦାସ୍ତ କରିନାହାନ୍ତି । ସରକାର ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିଛନ୍ତି । ଏହାସହ ଦୁଇ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି । 

Advertisment

ପୁରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳଚକଟା ଘଟଣା ରାଜ୍ୟ ସରକାରଙ୍କୁ ବ୍ୟଥିତ କରିଛି । ସମସ୍ତ ପ୍ରକାର ପ୍ରସ୍ତୁତି ସତ୍ବେ ଏତେ ବଡ ଅଘଟଣ ଘଟିଥିବାରୁ ନିଜେ ମୁଖ୍ୟମନ୍ତ୍ରୀ ଏହାକୁ ଅକ୍ଷମଣୀୟ କହିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।  ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ସହ ବଡ଼ ବୈଠକ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଶରଧାବାଲି ଅଘଟଣ ପାଇଁ ତତକ୍ଷଣାତ ବଦଳିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି ।

ଜିଲ୍ଲାପାଳ ସିଦ୍ଧାର୍ଥ ସ୍ୱାଇଁଙ୍କ ସ୍ଥାନରେ ଚଞ୍ଚଲ ରାଣା ନୂଆ ଜିଲ୍ଲାପାଳ ହୋଇଥିବାବେଳେ ବିନୀତ ଅଗ୍ରଓ୍ୱାଲଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ଏସପି ଦାୟିତ୍ୱ ଦିଆଯାଇଛି ।  ଘୋଷଣାର କିଛି ସମୟ ମଧ୍ୟରେ ଉଭୟ ନୂଆ ଜିଲ୍ଲାପାଳ ଓ ଏସପି ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । 

ରାଜ୍ୟ ସରକାର ଡିସିପି ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରିଛନ୍ତି । ପୂରା ଘଟଣାର ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ ।

ଆରମ୍ଭରୁ  ରଥ ପରିଚାଳନାରେ ବିଭ୍ରାଟ ଦେଖାଦେଇଥିବାରୁ ନୂଆ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।  ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ୱ ଦେଇଛନ୍ତି ସରକାର । ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱ ସହ ରଥଯାତ୍ରା ପରିଚାଳନା ଦାୟିତ୍ୱ ତୁଲାଇବେ ଅରବିନ୍ଦ ଅଗ୍ରଓ୍ୱାଲ । 

ଆଜିର ଅଘଟଣ ପରେ ବି ତିନିଠାକୁରଙ୍କୁ ଦେଖିବାକୁ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।  ପ୍ରାଥମିକ ଭାବେ ଜିଲ୍ଲାପାଳ ଓ ପୁରୀ ଏସପିଙ୍କୁ ବଦଳି କରାଯାଇଥିଲେ ବି ଘୋଷଯାତ୍ରା  ପରେ ଆଗରୁ ପଦ ପଦକ୍ଷେପ ନେଇପାରନ୍ତି ବୋଲି ଆଲୋଚନା ହେଉଛି ।