କନକବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହରିୟାଣାର ଫରିଦାବାଦରେ ଥିବା ଅଲ-ଫଲାହ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ରେ କଡ଼ା କଟକଣା ଜାରି କରିପାରେ ବୋଲି କୁହାଯାଇଛି। ଗତ ବର୍ଷ ଜାତୀୟ ରାଜଧାନୀ ନୂଆଦିଲ୍କୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ପରେ ଅଲ-ଫଲାହ ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ନଜରରେ ରହିଛି । ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଟଙ୍କା ଅପରାଧରୁ ପ୍ରାପ୍ତ ହୋଇଥିଲା କି ନାହିଁ ତାହାର ତଦନ୍ତ ଇଡି ପକ୍ଷରୁ କରାଯାଉଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ବର୍ଷ ନଭେମ୍ବରରେ ଅଲ-ଫଲାହ ଗ୍ରୁପ୍ ଅଧ୍ୟକ୍ଷ ଜୱାଦ ଅହମ୍ମଦ ସିଦ୍ଦିକୀଙ୍କୁ ଅଲ-ଫଲାହ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ଠକେଇ କରାଯାଇଥିବା ଅଭିଯୋଗରେ ଗିରଫ କରିଥିଲା। ତଦନ୍ତକାରୀ ସଂସ୍ଥା ଦାବି କରିଥିଲା ଯେ, ଶିକ୍ଷାନୁଷ୍ଠାନର ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ଆଇନଗତ ମାନ୍ୟତା ନାହିଁ ।
ସୂତ୍ର ଅନୁଯାୟୀ, ଚିହ୍ନଟ ହୋଇଥିବା ଅପରାଧ ଆୟର ଏକ ଅଂଶ ଫରିଦାବାଦର ଧୌଜରେ ଥିବା ଅଲ-ଫଲାହ ବିଶ୍ୱବିଦ୍ୟାଳୟରେ କୋଠା ନିର୍ମାଣରେ ବ୍ୟବହୃତ ହୋଇଥିବା ସନ୍ଦେହ କରାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଲ-ଫଲାହ ଟ୍ରଷ୍ଟର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଚିହ୍ନଟ ଏବଂ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଅଛି। ତଦନ୍ତ ସମାପ୍ତ ହେବା ପରେ, ଅପରାଧରୁ ପ୍ରାପ୍ତ କିମ୍ବା ନିର୍ମିତ ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ଜବତ କରିବା ପାଇଁ ବେଆଇନ ସମ୍ପତ୍ତି ଠୁଳ ନିବାରଣ ଆଇନ (ପିଏମ୍ଏଲ୍ଏ) ଅନ୍ତର୍ଗତ ଏକ ନିର୍ଦ୍ଦେଶ ଜାରି କରାଯିବ। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି, କ୍ୟାମ୍ପସ୍ରେ କଟକଣା ପରେ ନିରବଚ୍ଛିନ୍ନ ଭାବରେ ସେମାନଙ୍କର ପାଠପଢ଼ା ଜାରି ରଖିବାକୁ ଅନୁମତି ଦିଆଯାଇପାରେ। ସୂତ୍ରରୁ ଜଣାପଡ଼ିଛି, ଅପରାଧିକ ଆୟ ମାଧ୍ୟମରେ ଅର୍ଜିତ ସମ୍ପତ୍ତିକୁ ବିକ୍ରୟ କିମ୍ବା ନଷ୍ଟ ହେବାରୁ ରୋକିବା ପାଇଁ ଜବତ କରାଯାଇଛି ।
ସୂତ୍ରରୁ ଜରାପଡ଼ିଛି ଅସ୍ଥାୟୀ ଜବତ ପ୍ରକ୍ରିୟା ସମାପ୍ତ ହେବା ପରେ, ସରକାର ଦ୍ୱାରା ନିଯୁକ୍ତ ଜଣେ ରିସିଭରଙ୍କୁ ଆଲ-ଫଲାହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ପରିଚାଳନା ପାଇଁ ନିଯୁକ୍ତ କରାଯାଇପାରେ। ଯାହା ଦ୍ୱାରା ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଏବଂ ମାମଲା ଜାରି ରହିବା ସମୟରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ପ୍ରଭାବିତ ହେବ ନାହିଁ । ନଭେମ୍ବର ୨୦୨୫ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରୁ ସିଦ୍ଦିକଙ୍କ ରିମାଣ୍ଡ ପାଇଁ ଅନୁରୋଧ କରିଥିଲା। ଅଭିଯୋଗ ହୋଇଥିଲା ସିଦ୍ଦିକଙ୍କ ନିର୍ଦ୍ଦେଶରେ ବିଶ୍ୱବିଦ୍ୟାଳୟ ଏବଂ ଏହାର ପରିଚାଳନା ଟ୍ରଷ୍ଟ ଅଧିକ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ମିଥ୍ୟା ଭାବରେ ସ୍ୱୀକୃତିପ୍ରାପ୍ତ ବୋଲି ଦାବି କରାଯାଇଥିଲା। ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କଠାରୁ ୪୧୫.୧୦ କୋଟିର ଠକେଇ କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଞ୍ଚଟି ମାମଲାର ତଦନ୍ତ କରୁଛି। ସେଥି ମଧ୍ୟରେ ଦିଲ୍ଲୀରେ ଜମି ଅଧିଗ୍ରହଣ ପାଇଁ ସିଦ୍ଦିକଙ୍କ ସହ ଜଡିତ ଟ୍ରଷ୍ଟର ନିର୍ଦ୍ଦେଶରେ ଜେନେରାଲ ପାୱାର ଅଫ୍ ଆଟର୍ଣ୍ଣି (ଜିପିଏ) ଡକ୍ୟୁମେଣ୍ଟଗୁଡ଼ିକର ଜାଲିଆତି କରାଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/12/12bbs_11_12012026_111-2026-01-12-12-31-25.jpg)