କନକ ବ୍ୟୁରୋ : ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ବିଶ୍ଵ ପ୍ରସିଦ୍ଧ ବାଗେଶ୍ଵର ଧାମ ପରିସରରେ ଗୁରୁବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ଟେଣ୍ଟ୍ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ରୁ ୪ ଜଣ ଆହତ ହୋଇଥିବାର ସୂଚନା ଆସୁଛି । ଏହି ଘଟଣା ସକାଳ ପ୍ରାୟ ୭ ଟା ସମୟରେ ଆଳତି ପରେ ଘଟିଥିଲା । ଶ୍ରଦ୍ଧାଳୁ ବର୍ଷାରୁ ବଞ୍ଚିବା ପାଇଁ ଏକ ଟେଣ୍ଟ୍ ତଳେ ଏକାଠି ହୋଇଥିଲେ ଠିକ୍ ସେହି ସମୟରେ ଏହି ଅଘଟଣ ଘଟିଥିଲା । ମୃତକଙ୍କ ପରିଚୟ ଉତ୍ତର ପ୍ରଦେଶର ଅଯୋଧ୍ୟା ନିବାସୀ ଶ୍ୟାମଲାଲ କୌଶଲଙ୍କ ରୂପରେ ହୋଇଛି । ତାଙ୍କ ଜ୍ଵାଇଁ ରାଜେଶ କୁମାର କୌଶଲ କହିଛନ୍ତି ଯେ ଶ୍ୟାମଲାଲଙ୍କ ମୁଣ୍ଡରେ ଟେଣ୍ଟରୁ ବାହାରିଥିବା ଏକ ଲୁହା ଏଙ୍ଗଲ ବାଜିବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ରାଜେଶ କୁମାର କୌଶଲ ନିଜେ ଏବଂ ପରିବାରର ଅନ୍ୟ ସଦସ୍ୟ ସୌମ୍ୟା, ପାରୁଲ ଏବଂ ଉନ୍ନତି ସହିତ ୩ ରୁ ୪ ଜଣ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଛତରପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisment
bageshwar_dham
bageshwar_dham Photograph: (google)

ରାଜେଶ କହିଛନ୍ତି ଯେ ସେ ନିଜ ପରିବାରର ୬ ଜଣ ସଦସ୍ୟଙ୍କ ସହିତ ବୁଧବାର ରାତିରେ ହିଁ ଅଯୋଧ୍ୟାରୁ ବାଗେଶ୍ଵର ଧାମରେ ପହଞ୍ଚିଥିଲେ । ଶୁକ୍ରବାର ଦିନ ଧାମର ପୀଠାଧୀଶ୍ଵର ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଜନ୍ମଦିନ ଥିବାରୁ ସେ ଗୁରୁବାର ସକାଳେ ତାଙ୍କ ଦର୍ଶନ କରିବା ପାଇଁ ଆସିଥିଲେ । ଜିଲ୍ଲା ହସ୍ପିଟାଲର ଡାକ୍ତର ନରେଶ ତ୍ରିପାଠୀ କହିଛନ୍ତି ଯେ ମୃତକଙ୍କୁ ବାଗେଶ୍ଵର ଧାମରୁ ଅଣାଯାଇଥିଲା ଏବଂ ପରିବାର ଲୋକେ ଟେଣ୍ଟ୍ ଭୁଶୁଡ଼ିଯିବାରୁ ଦୁର୍ଘଟଣା ହୋଇଥିବା କଥା କହିଛନ୍ତି । ପୁଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । 

tent
tent Photograph: (google)

ଦୁର୍ଘଟଣା ସମୟରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ‘ଆମେ ସମସ୍ତେ ମଞ୍ଚ ପାଖରେ ଠିଆ ହୋଇଥିଲୁ, ବର୍ଷା ହେଉଥିଲା । ଏମିତିରେ ଆମେ ପାଣିରୁ ବଞ୍ଚିବା ପାଇଁ ଟେଣ୍ଟ୍ ଭିତରକୁ ଆସିଗଲୁ । ପାଣି ଭର୍ତ୍ତି ହେବାରୁ ଟେଣ୍ଟ୍ ତଳକୁ ଖସିଗଲା । ଏହାଦ୍ଵାରା ଦୌଡ଼ାଦୌଡ଼ି ହୋଇଗଲା ଏବଂ ଟେଣ୍ଟ୍ ତଳେ ପ୍ରାୟ ୨୦ ଜଣ ଲୋକ ଚାପି ହୋଇଗଲେ ।’ ତେବେ ଆସନ୍ତାକାଲି ବାଗେଶ୍ବର ବାବାଙ୍କ ଜନ୍ମଦିନ ଥିବା ବେଳେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।