କନକ ବ୍ୟୁରୋ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ଆଜି କରାଯିବ ବୟାନ ରେକର୍ଡ । ଏନେଇ ପାଟଣାଗଡ ଏଡିଜେ କୋର୍ଟରେ ପହଞ୍ଚିଛନ୍ତି ମୁଖ୍ୟ ଅଭିଯୁକ୍ତ,ପାଟଣାଗଡରେ କରାଯିବ ବୟାନ ରେକର୍ଡ । ପୂର୍ବ ତାରିଖରେ ଜେଲ ଅଧିକାରୀ ଅସୁସ୍ଥତା ଦେଖାଇ ମହଲତ ମାଗିଥିଲେ । ଫଳରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ହୋଇ ପାରିନଥିଲା । ଆଜି ବୟାନ ରେକର୍ଡ ପରେ ବିଚାରପତି ରାୟ ପ୍ରକାଶ କରିବେ ।
ପୁଞ୍ଜିଲାଲକୁ ବଲାଙ୍ଗୀର ଜିଲ୍ଲା କାରାଗାରରୁ ପାଟଣାଗଡ଼ କୋର୍ଟକୁ ନିଆଯାଉଛି ଓ ବିଚାରପତିଙ୍କ ଆଗରେ ହାଜର କରାଯିବ । ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା ଓ ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ । ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୮ ତାରିଖରେ ହୋଇଥିଲା । ବିବାହ ଭୋଜିରେ ପୁଞ୍ଜିଲାଲ୍ ପାର୍ସଲ୍ ଉପହାର ଭାବେ ବୋମା ପଠାଇଥିଲେ ଓ ୨୩ ତାରିଖ ଦିନ ପାର୍ସଲ୍ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେ ମା ଙ୍କର ମୃତ୍ୟୁ ଘଟିଥିଲା ଓ ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାର ତଦନ୍ତ କରି କ୍ରାଇମ୍ବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା । ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବନ୍ଦୀ ଭାବେ ରହିଛନ୍ତି ଓ ମାମଲାକୁ ୨ ସପ୍ତାହ ମଧ୍ୟରେ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଆଉ କିଛିଦିନ ମଧ୍ୟରେ ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।