କନକ ବ୍ୟୁରୋ: ମହୁଲ ମାଫିଆଙ୍କ ଆତଙ୍କରାଜ । ସିନେମା ଭଳି ସିନ୍ କ୍ରିଏଟ କରି ଗାୟବ କରିଦେଲେ ମହୁଲ । ଏପରିକି ଗାଡିରେ ମହିଳା ଅଧିକାରୀଙ୍କୁ ଚକମା ଦେଇ ଗାଡ଼ିରୁ ନେଇଗଲେ ଜବତ ହୋଇଥିବା ମହୁଲ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜାରଡା ଗାଁରେ ।  ବିପୁଳ ପରିମାଣର ମହୁଲ ବେଆଇନ ଭାବେ ଚାଲାଣ ହେଉଥିବା ଖବର ପାଇ ଉଦଳା ଅବକାରୀ ବିଭାଗ ଚଢ଼ାଉ କରିଥିଲା । କପ୍ତିପଦା ଛକ ନିକଟରେ ମହୁଲ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍ ଜବତ କରି ୪ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କୁ ଥାନାକୁ ନେବା ବେଳେ ମଝି ରାସ୍ତାରେ ମହୁଲ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇଥିଲେ ମହୁଲ ମାଫିଆ । ଡ୍ରାଇଭରକୁ ମାଡ଼ ମାରି ଗାଡିରୁ ବାହାର କରି ଦେଇଥିଲେ। ପରେ ଜବତ ହୋଇଥିବା ଗାଡିକୁ ନିଜ ଘରକୁ ନେଇ ଯାଇଥିଲେ ମାଫିଆ । ଯେଉଁ ଗାଡ଼ିରେ ଜଣେ ମହିଳା ସବ୍‌ଇନ୍ସପେକ୍ଟର ମଧ୍ୟ ରହିଥିଲେ । ମହିଳା ଅଧିକାରୀଙ୍କ ସାମ୍ନାରେ ମହୁଲ ମାଫିଆ ଆତଙ୍କ ରାଜ ଚଳାଇ ଜବତ ହୋଇଥିବା ୧୬ କୁଇଣ୍ଟାଲ ମହୁଲକୁ ଅନଲୋଡ୍‌ କରିଥିଲେ । ମହୁଲ ନେବା ପେର ଗାଡିକୁ ଛାଡି ଦେଇଥିଲେ ମାଫିଆ । ଘଟଣା ବାବଦରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁନଃ ଅନଲୋଡ୍‌ ହୋଇଥିବା ମହୁଲ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ସମସ୍ତ ମାଫିଆ ଫେରାର ହୋଇଯାଇଛନ୍ତି ।