କନକ ବ୍ୟୁରୋ: ଗତ ୨୦୨୩ରେ ଆଇପିଏଲ୍‌ ସିଜିନ୍‌ରେ ଇମ୍ପାକ୍ଟ ପ୍ଲେୟାର ନିୟମ ଲାଗୁ କରାଯାଇଥିଲା । ଏହାପରେ ଟୁର୍ଣ୍ଣାମେଣ୍ଟ୍‌ରେ ଏକ ବଡ଼ ପରିବର୍ତ୍ତନ ବି ଦେଖିବାକୁ ମିଳିଛି । ୨୦୨୪ରେ ସିଜିନ୍‌ରେ ଅଧିକାଂଶ ହାଇସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳିଥିଲା । ଏହି ସିଜିନ୍‌ରେ ମୋଟ ୪୧ ଥର ୨୦୦ ରନ୍‌ରୁ ଅଧିକ ଦଳୀୟ ସ୍କୋର୍‌ ହୋଇଥିଲା । ଖାଲି ସେତିକି ନୁହେଁ ଆଇପିଏଲ୍‌ ଇତିହାସରେ ସର୍ବଶ୍ରେଷ୍ଠ ୫ଟି ଦଳୀୟ ସ୍କୋର୍‌ ବି ଏହି ସିଜିନ୍‌ରେ ଦେଖିବାକୁ ପାଇଥିଲେ କ୍ରିକେଟ ପ୍ରଶଂସକ । ଏହି ନିୟମ ଆସିବା ପରେ ଫ୍ୟାନ୍ସଙ୍କୁ ଜବରଦସ୍ତ ଏଣ୍ଟରଟେନ୍‌ମେଣ୍ଟ୍‌ର ଖୋରାକ ମିଳୁଥିବା ବେଳେ ନାପସନ୍ଦ କରିଥିଲେ ବିରାଟ କୋହଲି ଓ ରୋହିତ ଶର୍ମା । କହିଥିଲେ କ୍ରିକେଟରେ କିଛି ନିୟମରେ ପରିବର୍ତ୍ତନ କରିବା ଆବଶ୍ୟକତା ନାହିଁ । ବିଶେଷ କରି ଇମ୍ପାକ୍ଟ ପ୍ଲେୟାର ନିୟମର କୌଣସି ଆବଶ୍ୟକତା ନାହିଁ । ହେଲେ ଏବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଇମ୍ପାକ୍ଟ ପ୍ଲେୟାରକୁ ନେଇ ଯେଉଁ ମତ ରଖିଛନ୍ତି ତାହା ରୋହିତ ଓ କୋହଲିଙ୍କଠାରୁ ଭିନ୍ନ ରହିଛି ।

Advertisment

ଜିଓ ହଟ୍‌ଷ୍ଟାର୍‌କୁ ଦେଇଥିବା ଏକ ସାକ୍ଷାତାକାରରେ ଇମ୍ପାକ୍ଟ ପ୍ଲେୟାର ନିୟମକୁ ନେଇ ମତ ରଖିଛନ୍ତି ସିଏସ୍‌କେର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଏହି ନୂଆ ନିୟମ  ଟି-ଟ୍ୱେଣ୍ଟି କ୍ରିକେଟରେ କାହିଁକି ଆବଶ୍ୟକ ତାହା ବର୍ଣ୍ଣନା କରିଛନ୍ତି । ଧୋନୀ କହିଛନ୍ତି, “ଯେତେବେଳେ ୨୦୨୩ରେ ଇମ୍ପାକ୍ଟ ପ୍ଲେୟାର ନିୟମ ଲାଗୁ ହେଲା ସେତେବେଳେ ମୁଁ ଭାବୁଥିଲି ଏହାର ଆବଶ୍ୟକତା ନାହିଁ । କିନ୍ତୁ ବ୍ୟକ୍ତିଗତ ଭାବେ ଏହି ନିୟମ ମୋତେ ଫାଇଦା ଦେଇପାରେ । ଦଳରେ ଏବେ ମୁଁ ବିଶେଷଜ୍ଞ ୱିକେଟ୍‌ରକ୍ଷକ ଭାବେ ଖେଳୁଛି । କିନ୍ତୁ ଗୋଟିଏ କଥା ନିରାଟ ସତ ଯେ ସମୟ ସହ କ୍ରିକେଟକୁ ବଦଳିବାକୁ ହେବ । 

ଅନେକଙ୍କ ମତ ରହିଛି ଏହି ନିୟମ ଯୋଗୁଁ ବଡ଼ ସ୍କୋର୍‌ ହେଉଛି, କିନ୍ତୁ ଅତିରିକ୍ତ ବ୍ୟାଟର୍‌ଙ୍କ ପାଇଁ ବଡ଼ ଦଳୀୟ ସ୍କୋର୍ ହେଉଛି ତାହା କହିବା ଠିକ୍‌ ହେବନି । ଇମ୍ପାକ୍ଟ ପ୍ଲେୟାର ନିୟମ ଯୋଗୁଁ ଦଳଗୁଡ଼ିକ ଏବେ ପୂର୍ବାପେକ୍ଷା ଅଧିକ ଆଟାକିଂ  କ୍ରିକେଟ୍‌ ଖେଳୁଛନ୍ତି । ଏହାଦ୍ୱାରା ଖେଳାଳିଙ୍କ ଆତ୍ମବିଶ୍ୱାସ ବି ବଢ଼ୁଛି । ଏମିତି ହିଁ ଟି-ଟ୍ୱେଣ୍ଟି କ୍ରିକେଟ୍‌ର ଅଭ୍ୟୁଦୟ ହୋଇଥିଲା । ଆଗକୁ ମଧ୍ୟ କ୍ରିକେଟର ରୂପରଙ୍ଗରେ ପରିବର୍ତ୍ତନ ହେବ । ଏହା ହିଁ ଭବିଷ୍ୟତ ।”


ତେବେ ଧୋନୀଙ୍କ କଥା କହିଲେ ତାଙ୍କ ଇମ୍ପାଟ୍କ ପ୍ଲେୟାର ନିୟମକୁ ନେଇ ମତଠାରୁ ସେ ଅଧିକ ଚର୍ଚ୍ଚାରେ ଅଛନ୍ତି ନିଜ ୱିକେଟ୍‌ କିପିଂକୁ ନେଇ । ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କୁ ୦.୧୨ ସେକେଣ୍ଡରେ ଷ୍ଟମ୍ପିଂ କରିଥିଲେ । ଏହି ଦୃଶ୍ୟକୁ ଯେକେହି ବି ଦେଖିଥିଲା ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ୪୩ ବର୍ଷ ବୟସରେ ମାହିଙ୍କ ଫୁର୍ତ୍ତି କୌଣସି ଯୁବ ଖେଳାଳିଙ୍କଠାରୁ କମ୍‌ ନୁହେଁ । ତେବେ ବ୍ୟାଟ୍‌ରେ ତାଙ୍କ କମାଲ୍‌ ଦେଖିବାକୁ ଚାହିଁ ରହିଛନ୍ତି ଫ୍ୟାନ୍ସ ।