କନକବ୍ୟୁରୋ : ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ସରିଛି। ୨୩ ତାରିଖରେ ଫଳାଫଳ ଆସିବ। କିନ୍ତୁ ଭୋଟ ସରିବା ପରେ ଆସିଛି ବୁଥ ବାହୁଡା ମତ। ମହାରାଷ୍ଟ୍ରରେ ମହାୟୁତି-ଏମଭିଏ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି ।  ରିପବ୍ଲିକ ପି-ମାର୍କ ଓ ଏବିପି-ମାଟ୍ରିଜର ଆକଳନ ଅନୁସାରେ ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି କ୍ଷମତାକୁ ଆସିପାରେ । ତେବେ ଚାଣକ୍ୟର ଆକଳନ ଅନୁସାରେ ବି ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ଆଗରେ ରହିପାରେ ।

Advertisment

ବିଜେପି ନେତୃତ୍ବଧୀନ ମହାୟୁତିରେ ସାମିଲ ଅଛନ୍ତି ଶିବସେନା ସିନ୍ଦେ ଗୋଷ୍ଠୀ ଓ ଏନସିପି ଅଜିତ ପାୱାର ଗୋଷ୍ଠୀ । ଏବିପି-ମାଟ୍ରିଜର ଆକଳନ ଅନୁସାରେ ଝାଡଖଣ୍ଡରେ ବି ବିଜେପି ବହୁ ଆଗରେ ରହୁଥିବା ଅନୁମାନ କରାଯାଇଛି । ଏଠାରେ ଏବେ ଜେଏମଏମ-କଂଗ୍ରେସ ମେଂଟ ସରକାରରେ ରହିଛ। ପାଂଚବର୍ଷ ପରେ ବିଜେପି ପୁଣି କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି ।

ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ଶିବସେନା, ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବଂ ବିଜେପିର ଶାସକ ମେଣ୍ଟ ମହାୟୁତି ମୋଟ୍‌ ୨୮୮ଟି ବିଧାନସଭା ଆସନ ମଧ୍ୟରୁ ୧୮୨ ଆସନ ହାସଲ କରିବ ବୋଲି ପିପୁଲ୍ସ ପଲ୍ସ ପୂର୍ବାନୁମାନ କରିଛି। ବିଧାନସଭାରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୧୪୫ ରହିଛି। ଅନ୍ୟପକ୍ଷରେ ଉଦ୍ଧବ ଠାକରେଙ୍କ ଶିବସେନା, ଏନ୍‌ସିପି (ଶରଦଚନ୍ଦ୍ର ପାୱାର) ଏବଂ କଂଗ୍ରେସର ମେଣ୍ଟ ‘ମହାବିକାଶ ଅଘାଡ଼ିକୁ ୯୭ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି ।

ଅନ୍ୟପକ୍ଷରେ ମହାରାଷ୍ଟ୍ରର ଫଳାଫଳରେ କୌଣସି ମେଣ୍ଟକୁ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ ମିଳିବ ନାହିଁ ବୋଲି ପି-ମାର୍କ ଏକ୍‌ଜିଟ୍‌ ପୋଲ୍‌ ଆକଳନ କରିଛି। ଶାସକ ମେଣ୍ଟ ମହାୟୁତିର ସଂଖ୍ୟା ୧୩୭ରୁ ୧୫୭ ଏବଂ ଏମଭିଏ ୧୨୬ରୁ ୧୪୬ ଆସନ ମଧ୍ୟରେ ରହିପାରେ ବୋଲି ସଂସ୍ଥା ଦାବି କରିଛି । ଲୋକସାହି ମରାଠୀ ରୁଦ୍ର ଏକ୍‌ଜିଟ୍‌ ପୋଲ୍‌ ମହାରାଷ୍ଟ୍ରରେ ଏନଡିଏକୁ ୧୨୮ରୁ ୧୪୨ ଏବଂ ଏମଭିଏକୁ ୧୨୫ରୁ ୧୪୦ ଆସନ ମିଳିବ ବୋଲି କହିଛି । ୧୮ରୁ ୨୩ ଟି ଆସନ ଅନ୍ୟମାନଙ୍କୁ ମିଳିବ ବୋଲି ଏହା ଦର୍ଶାଇଛି । 

ସେହିପରି ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ବିରୋଧୀ ଏନ୍‌ଡିଏ ୪୪ରୁ ୫୩ଟି ଆସନ ପାଇବ ଏବଂ ଇଣ୍ଡି ମେଣ୍ଟକୁ ୨୫ରୁ ୩୭ ଆସନ ମିଳିବ ବୋଲି ପିପୁଲ୍ସ ପଲ୍ସ ପୂର୍ବାନୁମାନ କରିଛି  । ଏଠାରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୪୧ ରହିଛି। ମାଟ୍ରିଜ୍‌ ଏକ୍‌ଜିଟ୍‌ ପୋଲ୍‌ରେ ଏନଡିଏକୁ ୪୨ରୁ ୪୭ ଟି ଆସନ ମିଳିବ ଏବଂ ଇଣ୍ଡି ମେଣ୍ଟକୁ ୨୫ରୁ ୩୦ ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି  । ଟାଇମ୍ସ ନାଓ-ଜେଭିସି ଏକ୍‌ଜିଟ୍‌ ପୋଲ୍‌ ଆକଳନ ଅନୁଯାୟୀ ଝାଡ଼ଖଣ୍ଡରେ ଏନ୍‌ଡିଏକୁ ୪୦ରୁ ୪୪ ଆସନ ଏବଂ ଇଣ୍ଡି ମେଣ୍ଟକୁ ୩୦ରୁ ୪୦ ଆସନ ମିଳିବ ।