କନକ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମ୍ୟାଜିକ ଦେଖିବାକୁ ମିଳିଛି । ମହାବିକାଶ ଅଘାଡିକୁ ଭାରି ପଡ଼ିଛି ସିନ୍ଦେ ଶିବସେନା ଅଜିତ ଏନସିପି,ବିଜେପି ମେଣ୍ଟ । ସେପଟେ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଅଙ୍କକଷା ଆରମ୍ଭ ସହ ଲାଗିଲାଣି ପୋଷ୍ଟର । କୁହାଯାଉଛି ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଦେବେନ୍ଦ୍ର ଫଡନବିସଙ୍କ ନାଁ ସବୁଠୁ ଆଗରେ ରହିଛି ।
କମାଲ କରିଛି ମହାରାଷ୍ଟ୍ରର ନୂଆ ମେଣ୍ଟ ମହାୟୁତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫକୁ ନେଇ ବୁଥବାହୁଡା ମତ ସତ ହେବା ସହ ଅପେକ୍ଷାକୃତ ବେଶ ଭଲ ପ୍ରଦର୍ଶନ କରିଛି ମହାୟୁତି । ସିନ୍ଦେ ଶିବସେନା, ଅଜିତ ଏନସିପି,ବିଜେପି ମେଣ୍ଟ ଆଗରେ ତିଷ୍ଟିପାରିନି ଉଦ୍ଧବ ଶିବସେନା,ଶରଦ ଏନସିପି ଓ କଂଗ୍ରେସ ମେଣ୍ଟ । ପ୍ରାରମ୍ଭିକ ଟ୍ରେଣ୍ଡରୁ ହିଁ ଏକଥା ସ୍ପଷ୍ଟ ହୋଇଥିଲା କି ୨୮୮ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ମହାୟୁତି ଓ ମହାବିକାଶ ଆଘାଡ଼ ଲଢ଼େଇ ଏକତରଫା ହୋଇପାରେ ।
ଏହା ଭିତରେ ସବୁଠୁ ହାଇଫ୍ରୋଇଲ ଚେହେରା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ମଧ୍ୟ ବାଜି ମାରିଛନ୍ତି । କୋପ୍ରି ଆସନରୁ ସିନ୍ଦେ ଜିତିଥିବାବେଳେ ନାଗପୁର ଉତର-ପଶ୍ଚିମରୁ ବିଜୟ ହୋଇଛନ୍ତି ଦେବେନ୍ଦ୍ର ଫଡନବିସ ।ସେହିପରି ଅଜିତ ପାୱାର ମଧ୍ୟ ବାରାମତୀ ଆସନରେ ଭଲ ପ୍ରଦର୍ଶନ କରିଛନ୍ତି ।
ରାଜନୈତିକ ବିଶେଷଜ୍ଞଙ୍କ ମତରେ ଯୋଜନାବଦ୍ଧ ରଣନୀତି, ସଠିକ ନିର୍ବାଚନୀ ପରିଚାଳନା ଓ ନେତୃତ୍ବ ପାଇଁ ଜିତିଲା ମହାୟୁତି । ମେଣ୍ଟ ବିଜୟ ପଛରେ କିଛି ପ୍ରମୁଖ ଫ୍ୟାକ୍ଠର କାମ କରିଛି ।
ମହାୟୁତି ପାଇଁ ସଫଳ ଫ୍ୟାକ୍ଟର
-ଲାଡକି ବହିନ ଯୋଜନାର ପ୍ରଭାବ, ସମନ୍ବୟ ଓ ପ୍ରଭାବୀ ପ୍ରଚାର
-ରାଜନୈତିକ ସ୍ଥିରତା ପ୍ରସଙ୍ଗ, ଉଦ୍ଧବ ସେନାକୁ ମିଳିଲାନି ସହାନୁଭୂତି
-ହିନ୍ଦୁତ୍ବ ପ୍ରସଙ୍ଗ, ସିନ୍ଦେ ଗୋଷ୍ଠୀ ଓ ବିଜେପିର ସଠିକ ତାଳମେଳ
-‘ବଟେଙ୍ଗେ ତୋ କଟେଙ୍ଗେ’ ନାରା, ‘ଏକ ହୈ ସେଫ୍ ହୈ’ ନାରା
-ବିରୋଧୀ ଗୋଷ୍ଠୀରେ ଟଣାଓଟରା, ମହାୟୁତି ମଧ୍ୟରେ ଏକତା
ସେପଟେ ଏମିତି କିଛି ବିନ୍ଦୁ ରହିଛି ଯାହା ମହାବିକାଶ ଅଘାଡି ନୈରାଶ୍ୟଜନ ପ୍ରଦର୍ଶନ ପାଇଁ ମୁଖ୍ୟ କାରଣ ବୋଲି କୁହାଯାଉଛି ।
କାହିଁକି ଫେଲ ମାରିଲା ମହାବିକାଶ ଅଘାଡିର ରଣନୀତି ?
-କଂଗ୍ରେସର ଖରାପ ପ୍ରଦର୍ଶନ ଓ ଦୁର୍ବଳ ସଂଗଠନ
-ଲୋକସଭା ନିର୍ବାଚନ ଫଳାଫଳର ଲହରକୁ ଧରି ରଖିପାରିଲେନି ବିରୋଧୀ ଦଳ ନେତା ରାହୁଲ
-ଫେଲ୍ ମାରିଲେ ଉଦ୍ଧବ ଠାକରେ ଓ ଶରଦ ପାୱାର
-ଲୋକଙ୍କୁ ବିକଳ୍ପ ଚୟନ ପାଇଁ ବିରୋଧୀ ସେମିତି କିଛି ଖାସ୍ କଥା ରଖିନଥିଲେ
-ହରିୟାଣା ନିର୍ବାଚନ ଫଳାଫଳର ଲହରକୁ ଆଗକୁ ବଢ଼ାଇଲା ବିଜେପି
ରାଜ୍ୟରେ ବିଜେପି ଏବଂ ଏହାର ସହଯୋଗୀ ମଜଭୁତ ସ୍ଥିତି ସହ ସରକାର ଗଢ଼ିବାକୁ ଯାଉଛନ୍ତି । ତେବେ ମହାରାଷ୍ଟ୍ରରେ ବିଜେପି କ୍ଷମତାର ଚାବି ନିଜ ପାଖକୁ ରଖିବା ନେଇ ଚର୍ଚ୍ଚା ହେଉଛି।