କନକ ବ୍ୟୁରୋ : କେରଳର ଥିରୁଅନନ୍ତପୁରମ ଜିଲ୍ଲାରେ ବୁଧବାର ସନ୍ଧ୍ୟାବେଳେ ଏକ ବୟାନକୁ ନେଇ ରାଜନୀତି ସରଗରମ ହୋଇଛି । ମହାତ୍ମା ଗାନ୍ଧୀଙ୍କ ନାତି ତୁଷାର ଗାନ୍ଧୀ ଏକ ସଭାକୁ ଉଦବୋଧନ ଦେଇ କହିଛନ୍ତି କି, ଦେଶର ଆତ୍ମାରେ ଆରଏସଏସ କ୍ୟାନସର ଭୂତାଣୁ । ସେ ଗାନ୍ଧୀବାଦି ପ୍ରତିନିଧୀ ଗୋପିନାଥନ୍ ନାୟାରଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ ଯୋଗଦେଇ ଏହି ବୟାନ ଦେଇଛନ୍ତି । ଏହାପରେ ପୁରା ଜିଲ୍ଲାରେ ଆରଏସଏସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସଭାରେ ତୁଷାର ଗାନ୍ଧୀ କହିଥିଲେ କି, ଦେଶର ଆତ୍ମାକୁ କ୍ୟାନସର ହୋଇଯାଇଛି । ଆଉ ଏହି କ୍ୟାନସର ଭୂତାଣୁର ଜନ୍ମଦାତା ହେଉଛି ସଂଘ ପରିବାର । ଏହି ବୟାନକୁ ନେଇ ବିଜେପି ଓ ଆରଏସଏସର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ସେମାନେ ତୁଷାର ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ହେଲେ ତୁଷାର ଗାନ୍ଧୀ ତାଙ୍କ ବୟାନରୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାସହ ମହାତ୍ମା ଗାନ୍ଧୀ ଅମର ରହେ ନାରା ଦେଇ ସେ ସେଠାରୁ ଚାଲିଯାଇଥିଲେ ।
ପ୍ରଦର୍ଶନକାରୀମାନେ ତୁଷାର ଗାନ୍ଧୀଙ୍କ ଗାଡି ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ତୁଷାର ଗାନ୍ଧୀ ଆରଏସଏସ ମୁର୍ଦ୍ଦାବାଦ ଓ ଗାନ୍ଧୀ ଜିନ୍ଦାବାଦ ନାରା ଦେଇ ସେମାନଙ୍କୁ ଜବାବ ଦେଇଥିଲେ ।
ସେପଟେ କେରଳ ପ୍ରଦେଶ କଂଗ୍ରେସ ତରଫରୁ ବିଜେପି ଓ ଆରଏସଏସର ଏଭଳି ଆଚରଣକୁ କଡ଼ା ନିନ୍ଦା କରାଯାଇଛି । କେପିସିସି ଅଧ୍ୟକ୍ଷ କେ,ସୁଧାକରନ ଏହାକୁ କେରଳର ଧର୍ମନିରପେକ୍ଷତା ମୂଲ୍ୟର ଅପମାନ ବୋଲି କହିଛନ୍ତି । ସେ କହିଛନ୍ତି କି, ବିଜେପି ଓ ଆରଏସଏସ ଉପରେ ଏବେ ଗଡସେଙ୍କ ଭୂତ ସବାର ହୋଇଛି । ସେ କହିଛନ୍ତି, କେରଳରେ ଏଭଳି ସାଂପ୍ରଦାୟିକ ଶକ୍ତି ପାଇଁ କୌଣସି ସ୍ଥାନ ନାହିଁ । ବିଜେପି ଓ ଆରଏସଏସର ଧର୍ମନିରପେକ୍ଷତା ଲୋକତନ୍ତ୍ର ଓ ସ୍ୱତନ୍ତ୍ରତା ପ୍ରତି ବିପଦ ବୋଲି ସେ କହିଛନ୍ତି ।