କନକ ବ୍ୟୁରୋ: ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ସମସ୍ତ ଶୈବପୀଠ । ଜାଗରରେ ଶିବମୟ ମାଟିରୁ ଆକାଶ । ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହେଉଛି ଶିବ ମନ୍ଦିର । ନିର୍ଜଳ ଉପବାସ କରି ମହାଦେବଙ୍କଠାରେ ଦୀପ ଜାଳୁଛନ୍ତି ବ୍ରତଧାରୀ । ରାଜ୍ୟର ପ୍ରମୁଖ ଶିବପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଏକାମ୍ର କ୍ଷେତ୍ର ଲିଙ୍ଗରାଜ ମନ୍ଦିରରେ ରାତି ୨ଟାରୁ ଦେଖିବାକୁ ମିଳିଛି ଭକ୍ତଙ୍କ ଗହଳି । ଆକଳନଠାରୁ ଅଧିକ ଭକ୍ତ ଆସିବାରୁ ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ରାତି ୧୦ଟାରେ ମହାଦୀପ ଉଠିବାକୁ ଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ୪୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସେପଟେ ଶ୍ରୀମନ୍ଦିର ଭଣ୍ଡାର ରକ୍ଷକ ବାବା ଲୋକନାଥଙ୍କ ପୀଠରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଛି । ଚଳିତ ବର୍ଷ ଗର୍ଭଗୃହରେ ଦର୍ଶନ ବନ୍ଦ ଥିବା ବେଳେ ଟିକେଟ ଦର୍ଶନ ବ୍ୟବସ୍ଥା ମଧ୍ୟ ହୋଇଛି । ମାନସିକଧାରୀମାନେ ପ୍ରଭୁଙ୍କଠାରେ ରୁପାଅଙ୍ଗ ଦାନ କରିଛନ୍ତି । ରାତି ୩ଟାରେ ହରିହର ଭେଟ ନୀତି ପରେ ଉଠିବ ମହାଦୀପ । 

Advertisment

ରାଜ୍ୟର ଅନ୍ୟ ପ୍ରମୁଖ ଶୈବପୀଠମାନଙ୍କରେ ମଧ୍ୟ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । କଟକର ବାବା ଧବଳେଶ୍ବରଙ୍କ ନିକଟରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗର ପରମ୍ପରା ରହିଛି । କେତକି ଫୁଲରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ବାବା । ଦ୍ବିତୀୟ କୈଳାଶ ଭାବେ ଜଣାଶୁଣା କପିଳା ପୀଠରେ ମହାଆଡମ୍ବରରେ ଚାଲିଛି ପୂଜାର୍ଚ୍ଚନା । ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ନାଗଭରଣ ବେଶରେ ଦର୍ଶନ ଦେଇଥାନ୍ତି ବାବା ଚନ୍ଦ୍ରଶେଖର । ସେପଟେ ଆରଡ଼ି ପୀଠରେ ଦିଗମ୍ବର ବେଶରେ ଦର୍ଶନ ଦେଉଛନ୍ତି ବାବା ଆଖଣ୍ଡଳମଣୀ । ରାତି ଗୋଟାଏରେ ସୁନା ବେଶ ସହ ଭୋର ସାଢ଼େ ୪ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି । 


ବାବାଙ୍କ ଦର୍ଶନ ସହ ମନ୍ଦିର ଉନ୍ନତି ପାଇଁ ରାଜ୍ୟ ପର୍ୟ୍ୟଟନ ବିକାଶ ପାଣ୍ଠିରୁ ୧୦କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତାଙ୍କ ସହ ମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀ ଏବଂ ଭଦ୍ରକ ବିଧାୟକ ଶୀତଂଶୁ ମହାପାତ୍ର ମଧ୍ୟ ବାବାଙ୍କ ଦର୍ଶନ କରିଛନ୍ତି । କୋରାପୁଟର ଗୁପ୍ତେଶ୍ବର, ବଲାଙ୍ଗୀର ହରିଶଙ୍କର ପୀଠ ସମେତ ରାଜ୍ୟର ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼ ଜମିଛି। ଶିବକୃପା ଲାଭ କରିବାକୁ ଦୀପ ଜାଳୁଛନ୍ତି ଭକ୍ତ । ମହାଦୀପ ଉଠିବା ପରେ ବ୍ରତ ଭାଙ୍ଗିବେ ବ୍ରତଧାରୀ ।