Lingaraj Photograph: (kanak news)
କନକ ବ୍ୟୁରୋ : ଆସନ୍ତାକାଲି ପବିତ୍ର ମହାଶିବରାତ୍ରି। ଏଥିପାଇଁ ଉତ୍ସବମୁଖର ସମସ୍ତ ଶୈବପୀଠ। ରାଜଧାନୀର ଆରାଧ୍ୟ ଦେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ସେପଟେ ଜାଗର ପାଇଁ ଏବେଠୁ ଏକାମ୍ର କ୍ଷେତ୍ରରେ ଜମିଲାଣି ଭକ୍ତଙ୍କ ଭିଡ଼। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହର ହର ମହାଦେବ ଧ୍ବନିରେ କମ୍ପୁଛି ପୂରା ପରିବେଶ। ନୂଆ ରୂପରେ ଝଟକୁଛି ଶ୍ରୀଲିଙ୍ଗରାଜ ମନ୍ଦିର। ମହାଶିବରାତ୍ରି ପାଇଁ ସଜେଇ ହୋଇଛି ମନ୍ଦିର ବେଢ଼ା। ସବୁ ସ୍ଥାନକୁ ପରିଷ୍କାର ପରିଛନ୍ନ ରଖିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ମନ୍ଦିର ପରିସରକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବାକୁ କଡ଼ା ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ଶ୍ରଦ୍ଧାଳୁମାନଙ୍କୁ ସଚେତନ କରାଯାଉଛି। ଭକ୍ତମାନେ ଯେପରି ସୁରୁଖୁରୁରେ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ପର୍ଯ୍ୟାପ୍ତ ପିଇବା ପାଣି ସହ ଜରୁରୀକାଳୀନ ମେଡିକାଲ୍ ସେବା ବ୍ୟବସ୍ଥା କରାଯାଇଛି। ଅଘଟଣର ମୁକାବିଲା ପାଇଁ ସଜାଗ ରହିଛନ୍ତି ଅଗ୍ନିଶମ ବାହିନୀ ।
ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ରାତି ୧୦ଟାରେ ମହାପ୍ରଭୁଙ୍କ ମହାଦୀପ ଉଠିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। ଭୋର ୩ଟାରୁ ମଙ୍ଗଳ ଆଳତି ସହ ସାଢ଼େ ୩ଟାରୁ ଦିନ ୧୧ଟା ଯାଏଁ ଭକ୍ତମାନେ ସାହାଣମେଲା ଦର୍ଶନ କରିପାରିବେ। ଗତବର୍ଷ ମହାଦୀପ ଉଠିବାବେଳେ ହୋଇଥିବା ଅଘଟଣର ପୁନରାବୃତ୍ତି ଯେଭଳି ନହୁଏ ତା ଉପରେ ଧ୍ୟାନ ଦିଆଯାଉଛି। ଚଳିତ ବର୍ଷ ଭିଆଇପି ଦର୍ଶନ ପାଇଁ ଟିକେଟ୍ କମ୍ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବଡୁ ନିଯୋଗ ସମ୍ପାଦକ। ପାର୍କିଂ ଲାଗି କମିସନରେଟ୍ ପୁଲିସ ପକ୍ଷରୁ ୧୩ଟି ସ୍ଥାନ ଚିହ୍ନଟ ହୋଇଛି। ସୁରକ୍ଷା ପାଇଁ ମନ୍ଦିର ପରିସରରେ ସିସିଟିଭି ଲଗାଯିବା ସହ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ--ଏସସିବି ଡାକ୍ତରଙ୍କ ବାରି ପରମ୍ପରାର ଅନ୍ତ, ପ୍ରତିଦିନ ରୋଗୀ ନେଇ ପାରିବେ ପସନ୍ଦର ଡାକ୍ତରଙ୍କ ପରାମର୍ଶ
Follow Us