କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକର ଯବନିକା ପଡିଛି । ସବୁ କଳ୍ପନା ଜଳ୍ପନା ବାଦ ବିବାଦ ଓ ଆଶା ଆଶଂକାର ଅନ୍ତ ଘଟାଇ ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। ଏହାସହ ଯେଉଁ ଏକନାଥ ସିନ୍ଦେଙ୍କୁନେଇ ଆଶଂକା ରହିଥିଲା ତାହାର ଅନ୍ତ ଘଟିଛି । ଏକନାଥ ସିନ୍ଦେ ମଧ୍ୟ ଫଡନାଭିସ୍ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ଅଜିତ୍ ପାୱାରଙ୍କ ପୁରା ନାମ ଅଜିତ୍ ଅନନ୍ତରାଓ ପାୱାର । ୧୯୫୯ ରେ ଜନ୍ମଗ୍ରହଣ କରିଥିବା ଅଜିତ ପାୱାର ତାଙ୍କର ରାଜନୈତିକ କ୍ୟାରିଅର ୧୯୮୨ ମସିହାରେ ଚିନୀ ସମବାୟ ସଭାପତିରୁ ଆରମ୍ଭ ହୋଇଥିଲା । ୧୯୯୧ ମସିହାରେ ସେ ପ୍ରଥମଥର ଲୋକସଭାକୁ ବାରାମତୀ ଆସନରୁ ନିର୍ବାଚିତ ହୋଇଥିଲେ । ଏହାସହ ସେ ନରସିହ୍ମା ରାଓଙ୍କ ସରକାରରେ ରକ୍ଷାମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ମହାରାଷ୍ଟ୍ର ରାଜନୀତିରେ ତାଙ୍କର ଦବଦବା ରହିଛି । ଗତ ଲୋକସଭା ନିର୍ବାଚନରେ ତାଙ୍କ ଦଳ ନୈରାସ୍ୟଜନକ ପ୍ରଦର୍ଶନ କରିଥିଲେ ବି ଚଳିତ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବାଜିମାତ କରିଛି । ଆଜି ସେ ଫଡନାଭିସ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ସେପଟେ ଯଦି ଏକନାଥ ସିନ୍ଦେଙ୍କ ରାଜନୈତିକ ଜୀବନ ବାବଦରେ ଆଲୋଚନା କରିବା ତେବେ ଜଣେ ସାଧାରଣ ଅଟୋ ଚାଳକରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଆଜି ପୁଣି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ ୧୯୮୦ ମସିହାରେ ପ୍ରଥମଥର ରାଜନୈତିକ ପଦବୀ ପାଇଥିଲେ । ଶିବସେନା ତରଫରୁ ତାଙ୍କୁ ଥାନେର ସଭାପତି କରାଯାଇଥିଲା । ୧୯୯୭ ମସିହାରେ ପ୍ରତ୍ୟେକ୍ଷ ରାଜନୀତିକୁ ଆସି ସେ ଥାନେ ମୁନିସପାଲଟିର ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ସେ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜଣେ ଅଟୋ ଡ୍ରାଇଭରରୁ ମୁଖ୍ୟମନ୍ତ୍ରୀ ଓ ଆଜି ପୁଣି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ତାଙ୍କ ସଂଘର୍ଷମୟ ରାଜନୈତିକ ଜୀବନକୁ ପ୍ରତିପାଦିତ କରୁଛି ।