କନକ ବ୍ୟୁରୋ: ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମହାରାଷ୍ଟ୍ରରେ ୨୮୮ ଆସନ ପାଇଁ ନଭେମ୍ୱର ୨୦ ତାରିଖରେ ଭୋଟ୍ ପଡିବ । ସେହିପରି ଝାଡଖଣ୍ଡରେ ୮୧ ଆସନ ଲାଗି ଦୁଇଟି ପର୍ଯ୍ୟାୟ ଯଥାକ୍ରମେ ୧୩ ଓ ୨୦ ନଭେମ୍ୱରରେ ଭୋଟିଂ ହେବ । ଏହି ଦୁଇ ରାଜ୍ୟରେ ଭୋଟଗଣତି ନଭେମ୍ୱର ୨୩ରେ ହେବ । ଭୋଟ୍ ତାରିଖ ଘୋଷଣା ହେବା ସହ ଏହି ଦୁଇ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ତେବେ ମହାରାଷ୍ଟ୍ରରେ ଗତ ୫ ବର୍ଷ ମଧ୍ୟରେ ଆୟାରାମ ଗୟାରାମ ଦେଖିବାକୁ ମିଳିଥିବାବେଳେ ଝାଡଖଣ୍ଡରେ ଜେଏମଏଏମ-କଂଗ୍ରେସ ମେଣ୍ଟ ସରକାରରେ ଅଛି ।
ମହାରାଷ୍ଟ୍ରରେ ଗତ ୫ ବର୍ଷରେ ରାଜନୈତିକ ଦୃଶ୍ୟପଟ୍ଟ ଦ୍ରୁତଗତିରେ ବଦଳଛି । ଏନସିପି ଓ ଶିବସେନା ଦୁଇଭାଗ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନଙ୍କ ସମେତ କଂଗ୍ରେସର ବଡ ନେତା ଦଳ ଛାଡିଛନ୍ତି । ସେହିପରି ଝାଡଖଣ୍ଡରେ ବି ବଡ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି ।
- ମହାରାଷ୍ଟ୍ରରେ ହେବ କି କଡା ଟକ୍କର ?
- ଲୋକସଭା ନିର୍ବାଚନରେ ‘ଇଣ୍ଡି’ ଥିଲା ଆଗରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏଥର କଡା ଟକ୍କର ଦେଖିବାକୁ ମିଳିବ । କାରଣ ଲୋକସଭା ନିର୍ବାଚନରେ ଏନସିପି(ଶରଦ ଗୋଷ୍ଠୀ), ଶିବସେନା (ଉଦ୍ଧବ ଗୋଷ୍ଠୀ) ଓ କଂଗ୍ରେସ ମେଣ୍ଟ ଆଗରେ ଥିଲା । ମୋଟ ୪୮ ଆସନ ମଧ୍ୟରୁ ‘ଇଣ୍ଡି’ ମେଣ୍ଟ ୩୦ ଓ ବିଜେପି ମେଣ୍ଟ ୧୭ ଆସନ ପାଇଥିଲେ । ତେଣୁ ଏଥର ରାଜ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ସେହିଭଳି ଝାଡଖଣ୍ଡରେ ମୋଟ ୧୪ ଆସନ ମଧ୍ୟରୁ ବିଜେପି ୮ଟି ଓ ଇଣ୍ଡି ମେଣ୍ଟ ୫ ଆସନ ଜିତିଥିଲେ । ତେଣୁ ଝାଡଖଣ୍ଡରେ କ୍ଷମତା ପରିବର୍ତ୍ତନ ଲକ୍ଷ୍ୟରେ ଅଛି ବିଜେପି ।
ସେହିଭଳି କେରଳ ୱାୟନାଡରେ ୧୩ ନଭେମ୍ୱର ଓ ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା ଆସନରେ ୨୦ ନଭେମ୍ୱରରେ ଉପନିର୍ବାଚନ ହେବ । ୧୩ ନଭେମ୍ୱରରେ ୪୭ ବିଧାନସଭା ଆସନରେ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଭୋଟଗଣତି ୨୩ ନଭେମ୍ବରରେ ହେବ । ୱାୟନାଡରେ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ଉପନିର୍ବାଚନ ହେଉଛି, ଏଠାରୁ ଲଢିବେ ପ୍ରିୟଙ୍କା ଗାନ୍ଧି ।