କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଏକାଠି ହେବେ କି ଭାଇ-ଭାଇ? ସାଙ୍ଗ ହେଇ ଲଢିବେ କି ଠାକରେ ବ୍ରଦର୍ସ? ୨୦ ବର୍ଷ ପରେ ମିଳାଇବେ କି ହାତ? ଏଭଳି କିଛି ଚର୍ଚ୍ଚା ମହାରାଷ୍ଟ୍ର ରାଜନୀତିକୁ ଏଥିପାଇଁ ସରଗରମ କରିଛି, କାହିଁକି ନା ମହାରାଷ୍ଟ୍ର ରାଜନୀତିରେ ଦବଦବା ରଖୁଥିବା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକର ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଏକାଠି ହେବା ନେଇ ସୂଚନା ମିଳୁଛି ।

Advertisment

ମହାରାଷ୍ଟ୍ରରେ ଏହି ଦୁଇ ଭାଇଙ୍କର ପ୍ରବଳ ଦବଦବା ରହିଛି । ଖାସ୍ କରି ମୁମ୍ବାଇ ଆଉ ମରାଠାଓ୍ୱାଡା ଅଞ୍ଚଳରେ ଆଜି ବି ଠାକରେ ଭାଇଙ୍କର ମୂଳଦୁଆ କାଏମ୍ ରହିଛି । ମରାଠୀ ଅସ୍ମିତା, ହିନ୍ଦୁତ୍ୱ ଆଉ ସହରୀ ଭୋଟବ୍ୟାଙ୍କକୁ ନେଇ ଏହି ଦୁଇ ଭାଇ ରାଜନୀତି କରୁଥିବାବେଳେ, ଏବେ ଏହି ଦୁଇ ଭାଇ ଏକାଠି ହେବା ଚର୍ଚ୍ଚା ମହାରାଷ୍ଟ୍ର ରାଜନୀତିକୁ ଗରମ କରିଛି ।

ଜାଣିରଖିବା ଉଚିତ୍ ଯେ, ୨୦୦୬ ମସିହାରେ ଦୁଇ ଭାଇ ଉଦ୍ଧବ ଠାକରେ ଆଉ ରାଜ୍ ଠାକରେଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା । ଆଉ ଦୁହେଁ ଅଲଗା ଅଲଗା ହେଇ ଯାଇତିଲେ । ସେତେବେଳେ ରାଜ୍ ଠାକରେ ଶିବସେନାରୁ ଅଲଗା ହେଇ ମହାରାଷ୍ଟ୍ର ନବ ନିର୍ମାଣ ସେନା ନାଁରେ ଅଲଗା ଦଳ ଗଠନ କରିଥିଲେ । ଆଉ ତାଙ୍କର ବେବାକ୍ ଅନ୍ଦାଜ ପାଇଁ ବେଶ ଲୋକପ୍ରିୟ ମଧ୍ୟ ସେ ଥିଲେ । ହେଲେ ଗତ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଖାତା ଖୋଲି ନପାରିବା, ଆଉ ଶିବସେନା ଭାଗ ଭାଗ ହେବା, ଦୁଇ ଭାଇଙ୍କ ଏକାଠି ହେବା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।

ଗତ ୨୦୧୯ ମସିହାରେ, ଉଦ୍ଧବ ବିଜେପିଠାରୁ ଅଲଗା ହୋଇ ମହାବିକାଶ ଆଗାଡି ସରକାର ଗଠନ କରିଥିଲେ। ଏହି ମେଣ୍ଟରେ ଶିବସେନା ସହିତ ଏନସିପି ଏବଂ କଂଗ୍ରେସ ଦଳ ରହିଥିଲେ । ହେଲେ ଉଭୟ ଦଳ ଏକଦା ଶିବସେନାର ଆଦର୍ଶଗତ ବିରୋଧୀ ଥିଲେ, ଆଉ ଏହି କାରଣରୁ ଉଦ୍ଧବ ଏମଭିଏର ଅଂଶ ହେବା ପରେ କିଛି ହିନ୍ଦୁତ୍ୱ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ଯାହାର ପ୍ରଭାବ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା। ପରେ ପରେ ୨୦୨୨ ମସିହାରେ, ଏକନାଥ ସିନ୍ଦେ ଶିବସେନାରେ ବିଦ୍ରୋହ କରିଥିଲେ ଏବଂ ୪୦ ରୁ ଅଧିକ ବିଧାୟକଙ୍କ ସହିତ ଏନଡିଏର ଅଂଶ ହୋଇଥିଲେ। ବିଜେପିର ସମର୍ଥନରେ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଉ ଏବେ ମହାରାଷ୍ଟ୍ରରେ ବିଜେପି ସରକାର ଆସିବା ସହିତ, ସିନ୍ଦେ ଉପ-ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ତେଣୁ ସିନ୍ଦେ ଏବଂ ବିଜେପିକୁ କୌଣସି ନା କୌଣସି ପରିସ୍ଥିତିରେ ମାତ୍ ଦେବାକୁ, ଦୁଇ ଠାକରେ ଭାଇ ଏକାଠି ହେଇପାରନ୍ତି ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଆଗାଡିର ଏଥର ବଡ଼ ପରାଜୟ ହୋଇଥିଲା, ଯାହା ପରେ ଅନେକ ଲୋକ ଶିବସେନା (UBT)ର ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଅନ୍ୟପକ୍ଷରେ, ରାଜ ଠାକରେଙ୍କ ଏମ୍ଏନ୍ଏସ୍ ନିର୍ବାଚନରେ ଖାତା ମଧ୍ୟ ଖୋଲିପାରିଲା ନାହିଁ। ଅନେକ ଲୋକ ଇଚ୍ଛା ପ୍ରକାଶ କରିଥିଲେ ଯେ, ଉଭୟ ଭାଇ ନିଜ ଦଳର ବଞ୍ଚିବା ଏବଂ ମହାରାଷ୍ଟ୍ରର ସ୍ୱାର୍ଥ ପାଇଁ ଏକାଠି ହୁଅନ୍ତୁ ।  ଯାହା ପରେ ଦୁଇ ଭାଇ ଏକାଠି ହେବା ନେଇ ଚର୍ଚ୍ଚା ବଢିଛି । କାହିଁକି ନା, ଆଗକୁ ମହାରାଷ୍ଟ୍ର ପୌର ନିର୍ବାଚନ ହେବାକୁ ଅଛି । ତେଣୁ ଏହି ନିର୍ବାଚନରେ ଦୁଇ ଭାଇ ମିଶି ବିଏମସି ଅକ୍ତିଆର କରିବା ଲକ୍ଷ୍ୟରେ ଅଛନ୍ତି ।