କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ବଡ଼ ଲଢ଼େଇ ।  ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ ।  ଆଜି ରାଜ୍ୟର ସମସ୍ତ ୨୮୮ ବିଧାନସଭା ଆସନ ଲାଗି ପଡ଼ିବ ଭୋଟ୍‌ ମୈଦାନରେ ଅଛନ୍ତି ମୋଟ୍‌ ୪ ହଜାର ୧୩୬ ପ୍ରାର୍ଥୀ । ଏମାନଙ୍କ ମଧ୍ୟରେ ୨ ହଜାର ୮୬ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ସାମ୍ନାସାମ୍ନି ଦୁଇ ମେଣ୍ଟ ମହାୟୁତି ଓ ମହା ବିକାଶ ଆଘାଡ଼ି । ମହାୟୁତିରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ରହିଥିବା ବେଳେ ମହାବିକାଶ ଆଘାଡ଼ିରେ କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ରହଛି । ଏଥର ନେତା ବାଛିବେ ମୋଟ୍‌ ୯ କୋଟି ୭୦ ଲକ୍ଷ ମତଦାତା । ବିଜେପି ୧୪୯, ଶିବସେନା ୮୧ ଓ ଏନସିପି ୫୯ ଆସନରେ ପ୍ରାର୍ଥୀ ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ୧୦୧, ଶିବସେନା (ୟୁବିଟି) ୯୫ ଓ ଏନସିପି (ଏସପି) ୮୬ ସିଟ୍‌ରେ ଲଢୁଛନ୍ତି ।  ସମସ୍ତ ୨୮୮ଟି ଆସନରେ ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ଭାବରେ ମତଦାନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା କହିଛନ୍ତି ମହାରାଷ୍ଟ୍ରମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ ଚୋକଲିଙ୍ଗମ୍ । ରାଜ୍ୟରେ ପ୍ରାୟ ୫ ଲକ୍ଷ ପୋଲିଂ କର୍ମଚାରୀ ୧ ଲକ୍ଷ ୪ଶହ ୨୭ଟି ମତଦାନ କେନ୍ଦ୍ରରେ ନିୟୋଜିତ ରହିଛନ୍ତି। ସେହିପରି ମତଦାତାମାନେ ନିର୍ଭୟରେ ଭୋଟ୍ ଦେବା ପାଇଁ ୨ ଲକ୍ଷ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Advertisment

ସେହିପରି ଆଜି ଦ୍ୱିତୀୟ ପର୍ୟ୍ୟାୟରେ ଝାଡ଼ଖଣ୍ଡରେ ୩୮ ଆସନରେ ଭୋଟ୍ ପଡ଼ିବ । ଝାଡ଼ଖଣ୍ଡ ବିଧାନସଭାର ମୋଟ୍‌ ୮୧ଟି ଆସନ ରହିଥିବା ବେଳେ ପ୍ରଥମ ପର୍ୟ୍ୟାୟରେ ଭୋଟ୍ ୧୩ ତାରିଖରେ ପଡ଼ିଥିଲା । ମୋଟ ୪୩ଟି ଆସନ ଲାଗି ମତଦାନ ହୋଇଥିଲା । ଏଥର ଦ୍ୱିତୀୟ ପର୍ଯ୍ୟାୟରେ ମୈଦାନରେ ମୋଟ୍‌ ୫୨୮ ପ୍ରାର୍ଥୀ ରହିଛନ୍ତି । ପାଖାପଖି ୧ କୋଟି ୨୩ ଲକ୍ଷ ମତଦାତା ଭୋଟ୍ ଦେବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଗ୍ନିପରୀକ୍ଷା ରହିଛି । ଏହି ପର୍ୟ୍ୟାୟରେ ପତ୍ନୀ କଳ୍ପନା ସୋରେନଙ୍କ ଭାଗ୍ୟ ନିର୍ଣ୍ଣୟ ହେବ । ମୋଟ୍‌ ୧୪ ହଜାର ୨୧୮ ମତଦାନ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ହେଉଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପଟେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ସମେତ ଉତ୍ତରପ୍ରଦେଶରେ ବି ବିଧାନସଭା ଉପ-ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଆଜି ଉତ୍ତର ପ୍ରଦେଶରେ ଥିବା ୯ଟି ଆସନରେ ଭୋଟିଂ ହେଉଥିବା ବେଳେ ଏହି ସମସ୍ତ ରାଜ୍ୟରେ ହେବାକୁ ଥିବା ନିର୍ବାଚନର ଫଳାଫଳ ନଭେମ୍ବର ୨୩ରେ ଗଣନା କରାଯିବ।