କନକ ବ୍ୟୁରୋ: ମହାରାଷ୍ଟ୍ରର କୋହ୍ଲାପୁରରେ ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠାକୁ ମିଳିଛି ଅନୁମତି । ଏନେଇ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହି ରାଜପତ୍ର ଜାରି କରାଯାଇଛି । ଅଗଷ୍ଟ ୧୮ରୁ ଏହା କାର୍ଯ୍ୟକ୍ଷମ ହେବ । ତେବେ ଏହି ଖବର ସାମନାକୁ ଆସିବା ପରେ ଓଡ଼ିଶାରେ ପୁଣି ଥରେ ତେଜିଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଯଦି ମହାରାଷ୍ଟ୍ରରେ ହାଇକୋର୍ଟର ଆଉ ଏକ ବେଞ୍ଚ ପ୍ରତିଷ୍ଠା ହୋଇପାରୁଛି, ଓଡ଼ିଶାରେ କାହିଁକି ହେଲା ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି । ରାଜ୍ୟ ସରକାରଙ୍କୁ କଟାକ୍ଷ କରିବା ସହ ତୁରନ୍ତ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଦାବି କରିଛନ୍ତି ।
ହାଇକୋର୍ଟ ବେଞ୍ଚକୁ ନେଇ ବିଜେପି ସରକାରକୁ ବିରୋଧୀ ଘେରିବା ପରେ ପୂର୍ବ ସରକାରକୁ ଦୋଷ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି, ପଶ୍ଚିମ-ଓଡ଼ିଶାରେ କି ଦକ୍ଷିଣ ଓଡ଼ିଶାରେ କେଉଁଠି ବେଞ୍ଚ ହେବ ସେନେଇ ଏକ ସମନ୍ବିତ ପ୍ରସ୍ତାବ କେନ୍ଦ୍ରକୁ ଦିଆଯାଇନାହିଁ । ବେଞ୍ଚ ସପକ୍ଷରେ ବିଜେପି ଥିଲା ଏବଂ ଅଛି ବୋଲି କହିଛନ୍ତି ସୁରେଶ ପୂଜାରୀ । ଅନ୍ୟପଟେ ନୂଆ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ କ୍ରିୟାନୁଷ୍ଠାନ କମିଟି । କମିଟିର ଆବାହକ ଅଶୋକ ଦାସ କହିଛନ୍ତି, ନିର୍ବାଚନ ଆଗରୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଆଶା ରଖିଛୁ ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ପକାଇବେ ଓ କୋହ୍ଲାପୁର ଭଳି ଓଡ଼ିଶାରେ ମଧ୍ୟ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ ।
ଜାଣିରଖିବା ଉଚିତ ଯେ, ଦଶନ୍ଦି ଦଶନ୍ଦି ଧରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଛି । ଏହାକୁ ନେଇ ବହୁଥର ଆନ୍ଦୋଳନ ହୋଇଛି, ପୋଡ଼ାଜଳା ବି ହୋଇଛି । ମାସ ମାସ ଧରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଛି । ବିଧାନସଭାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ କଥାଯାଇଛି । ତଥାପି ଏପର୍ଯ୍ୟନ୍ତ ପୂରଣ ହୋଇନି ଦାବି । ତେଣୁ ଏବେ ନଜର, ଆଗକୁ ଏହି ପ୍ରସଙ୍ଗରେ କଣ ରହୁଛି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ?