କନକ ବ୍ୟୁରୋ: ମହାରାଷ୍ଟ୍ରରୁ ବିଜେପି ପାଇଁ ଆସୁଛି ଖୁସି ଖବର । ମହାୟୁତି ଏଠାରେ ପୁଣିଥରେ ସରକାର ଗଠନ ଭଳି ଟ୍ରେଣ୍ଡ ଆସୁଛି । ବର୍ତ୍ତମାନ ସୁଦ୍ଧା ମହାବିକାଶ ଅଘାଡିକୁ ମହାୟୁତି ମେଣ୍ଟ ବହୁ ପଛରେ ପକାଇଥିବାବେଳେ, ବିଜେପିର ରଣନୀତି ପୁଣିଥରେ କାମ କରିଥିବା କହୁଛନ୍ତି ବିଶେଷଜ୍ଞ । ମଧ୍ୟାହ୍ନ ସୁଦ୍ଧା ମହାରାଷ୍ଟ୍ରର ୨୮୮ ଆସନରୁ ମହାୟୁତି ମେଣ୍ଟ ୨୧୫ ସିଟରେ ଆଗୁଆ ଥିବାବେଳେ, ମହାବିକାଶ ଅଘାଡି ୬୦ ସିଟରେ ଆଗୁଆ ରହିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଏତେ ଶକ୍ତିଶାଳୀ କେମିତି ହେଲା, କେଉଁ ରଣନୀତି କାମ କଲା ସେନେଇ ଏବେ ଆରମ୍ଭ ହେଇଛି ଚର୍ଚ୍ଚା ।
କାମ ଦେଲା ସିନ୍ଧେ ଫର୍ମୁଲା
ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଶିବସେନା ନେତା ଏକନାଥ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସେଇ ବଡ଼ ଗେମ୍ ଖେଳିଥିଲା । ଯେଉଁ ଫର୍ମୁଲା ଏବେ କାମ କରିଥିବା ଭଳି ଦେଖାଯାଉଛି । କାହିଁକି ନା ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସେଇ ବିଜେପି ସତ୍ତା ପାଇଁ ଲୋଭ କରୁନଥିବା ସନ୍ଦେଶ ଦେଇଥିଲା । ଅନ୍ୟପଟେ ଶିବସେନାକୁ ଦୁର୍ବଳ କରିବାରେ ମଧ୍ୟ ସିନ୍ଧେ ମୁଖ୍ୟ ଫ୍ୟାକ୍ଟର ସାଜିଥିଲେ । ଯାହା ବିଜେପିକୁ ଶକ୍ତିଶାଳୀ କରିବା ସହ ମହାୟୁତିକୁ ସଫଳତା ଦେଇଥିଲା ।
ଜନକଲ୍ୟାଣକାରୀ ଯୋଜନା
ମହାରାଷ୍ଟ୍ରରେ ଲଡକୀ ବହିନ ଯୋଜନା କାମ କରିଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ଯେଉଁଥିରେ କି ସାଧାରଣ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି ସିନ୍ଧେ ସରକାର । ଏଥିସହ ମହାରାଷ୍ଟ୍ରରେ ମହାୟୁତି ସରକାର ପୁଣି ଆସିଲେ ଏହି ଟଙ୍କାର ପରିମାଣ ବୃଦ୍ଧି କରାଯିବ ବୋଲି ମହାୟୁତି ପ୍ରତିଶ୍ରୁତି ଦେଇଥିଲା । ଯାହାକି ମହିଳାଙ୍କ ଭୋଟ୍ ହାତେଇବା ସହଜ କରିଥିଲା ବୋଲି କୁହାଯାଉଛି ।
ହିନ୍ଦୁ-ମୁସଲିମ୍ ଭୋଟ୍ ହାତେଇବାରେ ସଫଳ
ମହାରାଷ୍ଟ୍ରରେ ଏଥର ୟୁପି ମୁଖ୍ୟମନ୍ତ୍ରୀ ପ୍ରଚାର ବେଳେ ଜୋର ଧରିଥିଲା ‘ବଟେଙ୍ଗେ ତୋ କଟେଙ୍ଗେ’ ନାରା । ଏହାସହ ମୋଦୀଙ୍କ ‘ଏକ୍ ହେ ତୋ ସେଫ୍ ହେ’ ନାରା ମଧ୍ୟ ଲୋକଙ୍କୁ ଛୁଇଁଥିଲା । ଯାହାକି ହିନ୍ଦୁ ଭୋଟରଙ୍କ ଭୋଟ୍ ହାତେଇବାରେ ମହାୟୁତିକୁ ସହାୟ ହେଇଥିଲା । ଅନ୍ୟପଟେ ଏକନାଥ ସିନ୍ଦେ ମଦ୍ରାସା ଶିକ୍ଷକଙ୍କ ଦରମା ବୃଦ୍ଧି କରିଥିଲେ, ଆଉ ଏନସିପି ମୁସଲିମ୍ ନେତାଙ୍କୁ ଟିକେଟ୍ ଦେଇଥିଲା । ଯାହା ଫଳରେ ମହାୟୁତି ଉଭୟ ହିନ୍ଦୁ-ମୁସଲିମ୍ ଭୋଟ୍ ନିଜ ପକ୍ଷକୁ ଆଣିବାରେ ସଫଳ ହେଇଥିଲା ।
ବିଜେପିର ନୂଆ ରଣନୀତି
ବିଜେପି ଏଥର ମହାରାଷ୍ଟ୍ର ନିର୍ବାଚନରେ ନୂଆ ରଣନୀତି ସହ ପଡ଼ିଆକୁ ଓହ୍ଲେଇଥିଲା । ହରିୟାଣାରେ ଯେମିତି ପ୍ରଧାନମନ୍ତ୍ରୀ ମୋଦୀ ଅଧିକ ପ୍ରଚାର କରିନଥିଲେ, ସେହିପରି ଢଙ୍ଗରେ ମହାରାଷ୍ଟ୍ରରେ ମଧ୍ୟ ମୋଦୀ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ପ୍ରଚାର କରିନଥିଲେ । ହେଲେ ନେତାଙ୍କ ପ୍ରଚାରରେ କିନ୍ତୁ ମୋଦୀ ଆଗରେ ରହିଥିଲେ । ଯେଉଁ ରଣନୀତି କି କାମ କରିଥିବା କୁହାଯାଉଛି ।