କନକ ବ୍ୟୁରୋ : ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ?  ଫଳାଫଳ ଆସିବାର ସପ୍ତାହକ ପରେ ବି ଏନେଇ ଦ୍ବନ୍ଦ୍ବ ଜାରି ରହିଛି। ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ମୁଖ୍ୟମନ୍ତ୍ରୀ ପଦ ନେଇ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଁଚି ପାରିନି। ନେତା ବଛାଯାଇନଥିଲେ ମଧ୍ୟ ନୂଆ ସରକାରଙ୍କ ଶପଥ ଗ୍ରହଣ ପାଇଁ ତାରିଖ ସାମ୍ନାକୁ ଆସିଲାଣି । ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବାୱାଁକୁଲେ ୫ତାରିଖରେ ନୂଆ ସରକାର ଶପଥ ନେବେ ବୋଲି କହିଛନ୍ତି । ସେହିପରି ଏନସିପି ମୁଖ୍ୟ ଅଜିତ ପାୱାର  ମୁଖ୍ୟମନ୍ତ୍ରୀ ପଦ ନେଇ ବଡ଼ ବୟାନ ଦେଇଛନ୍ତି । ବିଜେପିରୁ ମୁଖ୍ୟମନ୍ତ୍ରୀ ଏବଂ ଶିବସେନା ଓ ଏନସିପିରୁ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦେଇଥିବା ବୟାନ ଚର୍ଚ୍ଚା ବଢାଇଛି। ଏସବୁ ମଧ୍ୟରେ ଅସୁସ୍ଥ ହୋଇ ଗାଁକୁ ପଳାଇଥିବା କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି । ଉପମୁଖ୍ୟମନ୍ତ୍ରୀ ପଦ ସାଙ୍ଗକୁ ସିନ୍ଦେ ଗୃହ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାବି କରୁଥିବା ଚର୍ଚ୍ଚା ହେଉଥିବା ବେଳେ ଶିବସେନା ଏହାକୁ ଖଣ୍ଡନ କରିଛି । ବିଜେପି ମଧ୍ୟ ଏକନାଥ ସିନ୍ଦେଙ୍କୁ ମନାଇବାକୁ ପ୍ରୟାସ ଆରମ୍ଭ କରିସାରିଛି । ସେପଟେ ମୁଖ୍ୟମନ୍ତ୍ରୀ ଚୟନରେ ବିଳମ୍ବକୁ ନେଇ ମହାୟୁତି ମେଣ୍ଟକୁ ଘେରିଛନ୍ତି ବିରୋଧୀ ମହାବିକାଶ ଅଘାଡ଼ି ମେଣ୍ଟର ନେତା । ମହାୟୁତି ମେଣ୍ଟରେ ସବୁକିଛି ଠିକ୍ ନଥିବା ଅଭିଯୋଗ କରିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ ।

Advertisment

୫ରେ ଶପଥ, ମୁଖ୍ୟମନ୍ତ୍ରୀ କିଏ?
-ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ?
-ଫଳାଫଳ ଆସିବାର ୭ଦିନ ବିତିଲାଣି ଏବେ ବି ଦ୍ବନ୍ଦ୍ବ ଜାରି
-ମୁଖ୍ୟମନ୍ତ୍ରୀ ପଦ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁନି ମହାୟୁତି ମେଣ୍ଟ
-ଚର୍ଚ୍ଚା ବଢାଇଲା ବିଜେପିର ସୋସିଆଲ ମିଡ଼ିଆ ପୋଷ୍ଟ
-ସେପଟେ ଅଜିତ୍ ପାୱାରଙ୍କ ବୟାନ ବି ଚର୍ଚ୍ଚାରେ
-ମହାରାଷ୍ଟ୍ରକୁ ମିଳିପାରେ ଜଣେ ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ
-ପୂର୍ବପରି ୟୁପି ମଡ଼େଲକୁ ଅନୁସରଣ କରିପାରେ ମେଣ୍ଟ
-୩ କିମ୍ବା ୪ ତାରିଖ ସୁଦ୍ଧା ସ୍ପଷ୍ଟ ହୋଇପାରେ ଚିତ୍ର
-୫ ତାରିଖରେ ନୂଆ ସରକାର ନେଇପାରନ୍ତି ଶପଥ