କନକ ବ୍ୟୁରୋ: ଶରଦ ପାଓ୍ୱାରଙ୍କୁ ତଞ୍ଜ କସିଲେ ଦେବେନ୍ଦ୍ର ଫଡନାଭିସ୍ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପଛରେ ଆରଏସଏସର ହାତ ଥିବା ନେଇ ଶରଦ ପାଓ୍ୱାର କହିବା ପରେ, ଏହାକୁ ନେଇ ଶରଦଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ । ସେ କହିଛନ୍ତି ଯେ, ଶରଦ ପାଓ୍ୱାର ଚାଣକ୍ୟ ଅଟନ୍ତି । ସେ ଅନୁଭବ କରିଛନ୍ତି ଯେ, ୨୦୨୪ ନିର୍ବାଚନରେ ମହାବିକାଶ ଅଘାଡି ଦ୍ୱାରା ପ୍ରଚାର କରାଯାଇଥିବା ମିଛ କଥା ଏଥର ବିଧାନସଭା ନିର୍ବାଚନରେ ପମ୍ପଚର ହେଇଯାଇଛି । ଏହାସହ ଆରଏସଏସ ରାଜନୀତି କରେନି, ବରଂ ରାଷ୍ଟ୍ର ନିର୍ମାଣ କରୁଥିବା ଶକ୍ତି ବୋଲି କହିଛନ୍ତି ଫଡନାଭିସ୍ । 

Advertisment

ଅନ୍ୟପଟେ ଅଜିତ ପାଓ୍ୱାର ଏବଂ ଶରଦ ପାଓ୍ୱାର ପୁଣିଥରେ ନିକଟତର ହେବା ନେଇ ଫଡନାଭିସ୍ କହିଛନ୍ତି ଯେ, ଆପଣ ୨୦୧୯ ପରେ ମୋ ବୟାନ ଶୁଣିଥିବେ । ୨୦୧୯ରୁ ୨୦୨୪ ଭିତରେ ଯେଉଁ ଘଟଣା ଘଟିଛି, ସେଥିରୁ ମୁଁ ଜାଣିଛି ଯେ, କିଛି ବି ଅସମ୍ଭବ ନୁହେଁ । କୌଣସି କଥା ହେବନି, ତାହା ଭାବି ଚାଲିବା ଠିକ୍ ନୁହେଁ । ତେଣୁ କିଛି ବି ହେଇପାରେ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । 

ଜାଣିରଖିବା ଉଚିତ୍ ଯେ, ଦେବେନ୍ଦ୍ର ଫଡନାଭିସ୍ ବରିଷ୍ଠ ଆରଏସଏସ ନେତା ବିଲାସ ଫଡନାଭିସଙ୍କ ସ୍ମୃତିରେ ଆୟୋଜିତ ପୁରସ୍କାର ସମାରୋହରେ ସାମିଲ ହେଇଥିଲେ । ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ, ଆରଏସଏସ ମହାରାଷ୍ଟ୍ର ନିର୍ବାଚନରେ ଅରାଜକତା ଶକ୍ତି ବିରୋଧରେ ଲଢିବାକୁ ରାଷ୍ଟ୍ରୀୟ ଶକ୍ତି ସହିତ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ମହାରାଷ୍ଟ୍ର ନିର୍ବାଚନରେ ଆରଏସଏସ୍ ବିଚାର ପରିବାରକୁ ସେ ଅନୁରୋଧ କରିଥିଲେ ଯେ, ଅରାଜକତା ଶକ୍ତି ବିରୋଧରେ ଲଢିବାକୁ ଆଗକୁ ଆସିବାକୁ । ଆଉ ଏହା ବିରୋଧରେ ଲଢିବାକୁ ଆରଏସଏସ୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ବୋଲି ସେ କହିଛନ୍ତି ।