କନକ ବ୍ୟୁରୋ : ନାଗପୁରର ସାମ୍ପ୍ରଦାୟିକ ହିଂସା ପାଇଁ ସିନେମା ଛାବାକୁ ଦାୟୀ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ସୋମବାର ଔରଙ୍ଗାଜବଙ୍କ ସମାଧି ଭାଙ୍ଗିବା ଗୁଜବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଘଟିଲା । ଏଥିରେ ୬୦ରୁ ଅଧିକ ଲୋକଙ୍କୁ ଗିରଡ଼ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି । 

Advertisment

ଗୁଜବ ପାଇଁ ମହାଭାରତ
ସୋମବାର ରାତିରେ ହିଂସାର ନିଆଁରେ ଜଳି ଉଠିଛି ନାଗପୁର । କେଉଁଠି ପଥରମାଡ ତ ପୁଣି କେଉଁଠି ଭଙ୍ଗାରୁଜା, ଆକ୍ରମଣ, ପ୍ରତିଆକ୍ରମଣରେ ଉଠିଛିପଡୁଛି ନାଗପୁର । ଏପରିକି ଘର ଭିତରେ ପଶି ମାଡ ମାରିବା ସହ ଖଣ୍ଡାଦେଖାଇ, ବନ୍ଧୁକ ମୁନରେ ଧମକ ଦେଇଛନ୍ତି ଦୁବୁର୍ତ୍ତ । କ୍ଷଣିକ ଭିତରେ ଲକ୍ଷାଧିକ ଟଙ୍କାର ଯାନବାହାନ, ଘର, ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଛି । ପୁଲିସ ପହଁଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ  ଲଗାଯାଇଛି କଫ୍ୟୁ ।

ସୂଚନା ଅନୁସାରେ ମୋଗଲ ଶାସକ ଔରଙ୍ଗଜେବଙ୍କ ସମାଧିକୁ ହଟାଇବାକୁ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ରାଲି କରୁଥିଲେ । ଏହି ସମୟରେ କିଛି ଇସଲାମିକ ଧର୍ମପୁସ୍ତକକୁ ପୋଡ଼ା ଯାଇଥିବା ଗୁଜବ ପ୍ରଚାର ହୋଇଥିଲା । ଔରଙ୍ଗଜେବଙ୍କୁ ସମର୍ଥନ କରୁଥିବା କିଛି ବ୍ୟକ୍ତି ଉତ୍ପାତ ମଚାଇଥିଲେ । ନାଗପୁରରେ ତାଣ୍ଡବ କରିବା ସହ ଭଙ୍ଗାରୁଜା, ଆକ୍ରମଣ ଓ ଧମକ ଦେଇଥିଲେ ।  ଅନ୍ୟ ଏକ ଗୋଷ୍ଠୀ ସହ ମୁହାଁମୁହିଁ ପରେ କ୍ରମଶ ଏହା ସାମ୍ପ୍ରଦାୟିକ ହିଂସାର ରୂପ ନେଇଥିଲା । 

ଉପଦ୍ରବୀଙ୍କୁ ମହାରାଷ୍ଟ୍ର ସରକାରଙ୍କ କଡ଼ା ଚେତାବନୀ
ଉପଦ୍ରବୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର । ଘଟଣାକୁ ଯୋଜନାବଦ୍ଧ ଷଡଯନ୍ତ୍ର କହିବା ସହ  ଔରଙ୍ଗଜେବ ସମର୍ଥକଙ୍କ ପ୍ରତି ସରକାର କଠୋରମନୋଭାବ ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

ସିନେମା ଛାବାକୁ ଦାୟୀ କଲେ ମୁଖ୍ୟମନ୍ତ୍ରୀ
ନାଗପୁର ହେଉଛି ଦୁଇ ବରିଷ୍ଟ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଗଡ । ଏପରିକି ଆରଏସଏସର ଏନ୍ତୁଡିଶାଳା । ଏଭଳି ସ୍ଥିତିରେ ଏତେ ବଡ ସାମ୍ପ୍ରଦାୟିକ ହିଂସା ବଜେପି ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ସ୍ବାଭାବିକ ।