କନକବ୍ୟୁରୋ : ମହାରାଷ୍ଟ୍ର ନିର୍ବାଚନ ଫଳାଫଳର ଗୋଟିଏ ସପ୍ତାହ ବିତିଗଲା । ମହାୟୁତିକୁ ବଡ ବିଜୟ ଦେଲେ ଭୋଟର । କିନ୍ତୁ ଏ ଯାଏଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରିଲାନି , ଏବେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନାହିଁ । କିନ୍ତୁ ୫ ତାରିଖରେ ମୁମ୍ୱାଇର ଆଜାଦ ମୈଦାନରେ ଶପଥ ଗ୍ରହଣ ସମାରୋହ ହେବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି । ଟ୍ୱିଟରେ ବିଜେପି ରାଜ୍ୟ ସଭାପତି ଲେଖିଛନ୍ତି , ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ।
ଗୁରବାର ଦିନ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ଦେବେନ୍ଦ୍ର ଫଡନାଭିସ, ଏକନାଥ ସିନ୍ଦେ ଓ ଅଜିତ ପାୱାର । ତା ପରେ ଏକନାଥ ସିନ୍ଦେ ବି କହିଥିଲେ ମୁଖ୍ୟମନ୍ତ୍ରୀ ପଦ ନେଇ ମୋଦି ଓ ଶାହା ଯାହା ନିଷ୍ପତ୍ତି ନେବେ , ତାକୁ ସେ ମାନିବେ । ଏହାପରେ ମୁମ୍ବାଇରେ ବୈଠକ ହେବାର ଥିଲା । କିନ୍ତୁ ଅଚାନକ ଏକନାଥ ସିନ୍ଦେ ନିଜ ଗାଁକୁ ପଳାଇବା ପରେ ସବୁ ଅଙ୍କ ବିଗିଡିଯାଇଛି । କୁହାଯାଉଛି, ଏବେ ବି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଭିତିରିଆ ବିଜେପି ଉପରେ ଚାପ ପକାଉଛି ଶିବସେନା ।
ନିଜ ଗାଁରେ ସିନ୍ଦେ ପ୍ରବଳ ଜ୍ବର ଓ କାଶରେ ପୀଡିତ ହୋଇଛନ୍ତି । ଡାକ୍ତରୀ ଦଳ ତାଙ୍କ ଘରେ ଚିକିତ୍ସା କରୁଛନ୍ତି । ତେଣୁ ଏକନାଥ ଗାଁକୁ ଯିବା ପଛର ରହସ୍ୟ କଣ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ଅମିତ ଶାହଙ୍କ ସହ ବୈଠକ ପରେ ୩ ଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ ବୋଲି ମହାରାଷ୍ଟ୍ରବାସୀ ଅପେକ୍ଷା କରିଛନ୍ତି , କିନ୍ତୁ ତାହା ଏ ଯାଏଁ ହୋଇପାରିଲା ନାହିଁ । ତେଣୁ ପ୍ରଶ୍ନ ଉଠୁଛି, ସିନ୍ଦେ ଏବେ ମହାରାଷ୍ଟ୍ର ବିଜେପି ପାଇଁ ଦୁର୍ବଳତା ନା ମୁଣ୍ଡବ୍ୟଥା ।