କନକ ବ୍ୟୁରୋ : ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ । ଏକନାଥ ସିନ୍ଦେ ନା ଦେବେନ୍ଦ୍ର ଫଡନାଭିସ, ନା ଏମାନଙ୍କ କଳି ଭିତରୁ ଫାଇଦା ନେବେ ଅଜିତ୍ ପାୱାର । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଦୁଇ ଦୁଇଟି ବୈଠକ ବାତିଲ କରି ଏକନାଥ ସିନ୍ଦେ ନିଜ ପୈତୃକ ଗାଁକୁ ଚାଲିଯିବା ଘଟଣା ଏବେ ପୁଣି ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି ।
ଆଜି ବିଜେପି, ଏନସିପି ଓ ଶିବସେନା ମେଣ୍ଟ ମହାୟୁତିର ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିଲା, ଏହାସହ ଶିବସେନା ସିନ୍ଦେ ଗୋଷ୍ଠୀର ଏକ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ଅନୁଷ୍ଠିତ ହେବାର ଥିଲା । ହେଲେ ହଠାତ ଉଭୟ ବୈଠକକୁ ବାତିଲ କରି ଏକନାଥ ସିନ୍ଦେ ନିଜ ପୈତୃକ ଗ୍ରାମକୁ ଚାଲି ଯାଇଛନ୍ତି । କୁହାଯାଉଛି କି ଦୁଇଦିନ ପରେ ଏହି ଦୁଇଟି ବୈଠକ ଅନୁଷ୍ଠିତ ହେବ ।
ସୂତ୍ର ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ସହମତି ହୋଇଛି । ହେଲେ କିଛି ମନ୍ତ୍ରୀପଦକୁ ନେଇ ବୁଝାମଣା ହୋଇପାରୁନି । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ଫର୍ମଲା ଉପରେ ସହମତି ହୋଇଥିଲେ ବି, ଉପମୁଖ୍ୟମନ୍ତ୍ରୀ ପଦରେ ଏକନାଥ ସିନ୍ଦେ ସନ୍ତୋଷ୍ଟ ନଥିବା କଥା କୁହାଯାଉଛି । ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକ ତଥା ଦଳର ପ୍ରବକ୍ତା ସଂଜୟ ଶିରାସଟ କହିଛନ୍ତି କି, ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୋଷ୍ଟ ନାହାଁନ୍ତି । ସେପଟେ ବିଜେପି ନିଜ ପାଖରେ ଗୃହ ବିଭାଗ ଓ ଅଜିତ ପାୱାର ଗୋଷ୍ଠୀକୁ ଅର୍ଥ ବିଭାଗ ଦେବାର ସମ୍ଭାବନା ଥିବାରୁ ମନ୍ତ୍ରୀମଣ୍ଡଳରେ ସିନ୍ଦେ ଗୋଷ୍ଠୀର କୌଣସି ଗୁରୁତ୍ୱ ରହିବ ନାହିଁ । ବିଜେପି ତାର ସହଯୋଗୀଙ୍କୁ ୨୨ ଟି ମନ୍ତ୍ରୀପଦ ଦେବା ନେଇ ଆଲୋଚନା ହେଉଛି । ତା ମଧ୍ୟରୁ ସିନ୍ଦେ ଗୋଷ୍ଠୀକୁ ୧୨ ଓ ଅଜିତ ପାୱାର ଗୋଷ୍ଠୀକୁ ୯ ଟି ମିଳିପାରେ ।