କନକ ବ୍ୟୁରୋ: ମହାରାଷ୍ଟ୍ର ଓ ବିହାର ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି । ଖାସ କରି ଦେଶର ୨ ଚର୍ଚ୍ଚିତ ନେତା ଏବେ ଗଣମାଧ୍ୟମର ହେଡ୍‌ ଲାଇନ୍‌ ଛାଡୁନାହାନ୍ତି । ଗୋଟିଏ ପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧବ ଠାକରେଙ୍କ ପ୍ରଶଂସା ଏନଡିଏ ଆଡକୁ ଉଦ୍ଧବ ଢଳୁଥିବା କୁହାଯାଉଥିବା ବେଳେ ଏନଡିଏ ସହ ନୀତିଶଙ୍କ ମନାନ୍ତର ପରେ ସେ ପୁଣି ଥରେ ଇଣ୍ଡି ମେଣ୍ଟ ଆଡକୁ ଢଳୁଥିବା ନେଇ ଚର୍ଚ୍ଚା ଚାଲିଛି । ଅବଶ୍ୟ ଏନେଇ ଉଦ୍ଧକ, ନୀତିଶ କିମ୍ୱା ଏନଡିଏର କୌଣସି ନେତା ସେମିତି କିଛି ପ୍ରତିକ୍ରିୟା ରଖିନାହାନ୍ତି । ହେଲେ ବି ୨ ନେତାଙ୍କୁ ନେଇ ଏବେ ସରଗରମ ଦେଶର ରାଜନୀତି ।

Advertisment


ଚର୍ଚ୍ଚାରେ ମହାରାଷ୍ଟ୍ର ଓ ବିହାର ରାଜନୀତି
ଏନଡିଏକୁ ଉଦ୍ଧବ ଫେରିବା ନେଇ ଚର୍ଚ୍ଚା
ସେପଟେ ଏନଡିଏ ନୀତିଶ ଛାଡ଼ିବା ନେଇ ଆଲୋଚନା

ମହାରାଷ୍ଟ୍ର । ଇଏ ଏମିତି ଏକ ରାଜ୍ୟ, ଯେଉଁଠି ରାଜନୀତି କେତେବେଳେ କେଉଁ ମୋଡ଼ ନେବ କହିବା ମୁସ୍କିଲ । କାରଣ ସଜସଜ ଦେବେଦ୍ର ଫଡାନାଭିସଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି ଉଦ୍ଧବ ଠାକରେ । ପୂର୍ବରୁ ବି ଏନଡିଏ ସହ ଲମ୍ୱା ସମୟ ଧରି ଶାସନ କରିଥିଲେ ଉଦ୍ଧବ । ହେଲେ ଅସନ୍ତୋଷ ହେବା ପରେ ଉଦ୍ଧବ ଏନଡିଏରୁ ବାହାରି ଆସିଥିଲେ । ଏସନ ନିର୍ବାଚନରେ କଂଗ୍ରେସ ଓ ଶରତଙ୍କ ଏନସିପି ଗୋଷ୍ଠୀରେ ସାମିଲ ହୋଇ ନିର୍ବାଚନ ଲଢିଥିଲା ଉଦ୍ଧବଙ୍କ ଦଳ । କିନ୍ତୁ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପୁଣି ଥରେ କ୍ଷମତାକୁ ଫେରିବାକୁ ବଳ କଷୁଛନ୍ତି ଉଦ୍ଧବ । କୁହାଯାଉଛି କି, ପୁରୁଣା ଘରକୁ ଫେରିବାକୁ ସେ କସରସ ବି କରୁଛନ୍ତି । ବୋଧହୁଏ ସେଇଥି ଲାଗି ଖୁଲମଖୁଲା ଫଡନାଭିସଙ୍କୁ କରୁଛନ୍ତି ପ୍ରଶଂସା । 

ମହାରାଷ୍ଟ୍ର ଓ ବିହାର ରାଜନୀତି ସରଗରମ
କିଏ କାହାକୁ ଧରିବେ
କିଏ କାହାକୁ ଛାଡ଼ିବେ ସେନେଇ ବଢିଲା ଆଲୋଚନା

ନୂଆବର୍ଷରୁ ନୂଆ ଯୋଜନା କରିଛନ୍ତି ଫଡନାଭିସ୍‌
ସଂପାଦକୀୟ ଲେଖି ସରକାରକୁ ପ୍ରଶଂସା କଲେ ଠାକରେ

ଅନେକ ସମୟରେ ଦେଖାଯାଇଛି କି, ଶାସକ ଦଳର ନେତାଙ୍କୁ ବିରୋଧୀ ସବୁବେଳେ ଷଣ୍ଢୁଆସୀ ଆକ୍ରମଣ କରନ୍ତି । ଏମିତିକି, ପ୍ରତି କାମରେ ବିରୋଧ କରନ୍ତି । ଏହାଏକ ସ୍ବାଭାବିକ ପ୍ରକ୍ରିୟା । କିନ୍ତୁ ନିର୍ବାଚନ ସରିବାର ୨ ମାସ ଅନ୍ତରରେ ଶାସକ ଦଳର ନେତାଙ୍କୁ ବିରୋଧୀ ଏମିତି ପ୍ରଶଂସା କରିବା କୋଚିତ୍‌ ଦେଖାଯାଏ । ସଂପାଦକୀୟରେ ଉଦ୍ଧବ ଲେଖିଛନ୍ତି, ଦେବେନ୍ଦ୍ର ରାଜ୍ୟର ବିକାଶ ଲାଗି ଯେଉଁ କାମ କରୁଛନ୍ତି ତାହା ପ୍ରଶଂସନୀୟ । ଖାସ କରି ନକ୍ସଲପ୍ରବଣ ଜିଲ୍ଲାରେ ଅନେକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯାହାଦ୍ବାରା କେବଳ ସେହି ସବୁ ଜିଲ୍ଲାର ବିକାଶ ହେବ ତାହା ନୁହେଁ  ବରଂ ପୁରା ରାଜ୍ୟର ବିକାଶ ହେବ ବୋଲି ଉଦ୍ଧବ କହିଛନ୍ତି । ଏହାସହ ଆଶା ରଖିଛନ୍ତି, ଗଡଚିରୋଲୀ ଜିଲ୍ଲାରେ କିଛି ନୂଆ କାମ ହେବ । ସେଠାରେ ଗରିବୀଙ୍କ ସଂଖ୍ୟା ଅଧିକ ଥିବାରୁ ନକ୍ସଲବାଦ ବଢିଛି । ରକ୍ତପାତ ହେଉଛି, ଅଯଥାରେ ଜୀବନ ଯାଉଛି । ଯେହେତୁ ଗଡଚିରୋଲୀ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ବିକାଶର କଥା କହିଛନ୍ତି ତେଣୁ ବିକାଶ ନିଶ୍ଚିତ ହେବ ଏବଂ ନକ୍ସଲବାଦ କମିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । 

ପୁଣି ଏକ ହେବେ ପାୱାର ଫ୍ୟାମିଲି
ବଦଳିଯାଇପାରେ ମହାରାଷ୍ଟ୍ର ରାଜନୀତି ଗଣିତ

ଡିସେମ୍ୱରରେ ଶରତ ପାୱାର ଓ ଅଜିତ ପାୱାର ସାକ୍ଷାତକାର ହେବା ପରେ ପୁଣି ଥରେ ଦୁଇ ପାଓ୍ୱାର ପରିବାର ଏକ ହେବେ ବୋଲି ଚର୍ଚ୍ଚା ବଢିଛି । କୁହାଯାଉଛି, ୨ ପରିବାର ଏନେଇ ଆଲୋଚନା ବି କରୁଛନ୍ତି । ସେପଟେ ଉଦ୍ଧବ ଠାକରେ ଓ ରାଜ ଠାକରେ ବି ଏକାଠି ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ଏବଂ ଉଦ୍ଧବ ଇଣ୍ଡି ମେଣ୍ଟରେ ଆଦୌ ଖୁସି ନାହାନ୍ତି । 

ବିଏମସି ନିର୍ନାଚନ ପୂର୍ବରୁ ଓଲଟପାଲଟ ହେବ
ଧୀରେ ଧୀରେ ମହାରାଷ୍ଟ୍ରର ପଲିଟିକ୍ସରେ ସ୍ପଷ୍ଟତା ଆସିବ

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବିଏମସି ନିର୍ବାଚନ ପୂର୍ବରୁ ଓଲଟପାଲଟ ହୋଇପାରେ ମହାରାଷ୍ଟ୍ର ରାଜନୀତି । ଏମିତିକି ପାଓ୍ୱାର ଗୋଷ୍ଠୀ ଓ ଉଦ୍ଧବ ଏନଡିଏ ଏକାଠି ହୋଇପାରନ୍ତି । ଯଦି ଏମିତି ହୁଏ ତାହାଲେ ମୁଖ୍ୟମନ୍ତ୍ରୀ ପୁଣି ହେବ ନା ଦେବେନ୍ଦ୍ରଙ୍କ କାନ୍ଧରେ ମହାରାଷ୍ଟ୍ର ରହିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପଟେ, ସରଗରମ ହେଲାଣି ବିହାର ରାଜନୀତି । ବିହାରର ମୁଖ୍ୟମନ୍ତ୍ରୀ ଏନଡିଏ ଛାଡୁଥିବା ଖବର ଚର୍ଚ୍ଚା ଭିତରେ ନୀତୀଶଙ୍କୁ ବଡ଼ ଅଫର ଦେଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟକୁ ଫେରିବାକୁ ପ୍ରସ୍ତାବ ଦେଇଛନ୍ତି । ଲାଲୁଙ୍କ ଏହି ଅଫରକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ନୂଆବର୍ଷ ଅବସରରେ ଲାଲୁ ଯାଦବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା । ସେ ଚାହିଁଲେ ଆସିପାରିବେ । ଲାଲୁ ଯାଦବ ଏହା ମଧ୍ୟ କହିଛନ୍ତି ଯେ ନୀତୀଶ କୁମାର ଆମକୁ ଛାଡି ପଳାଇଥିଲେ ମଧ୍ୟ ଆମେ ତାଙ୍କୁ କ୍ଷମା କରିଛୁ । ସମୟ କହିବ ମହାରାଷ୍ଟ୍ର ଓ ବିହାର ରାଜନୀତିର ଗତି କୁଆଡ଼େ ଯାଉଛି ।