କନକ ବ୍ୟୁରୋ: ସମ୍ପର୍କକୁ ମାରିଦେଉଛି ମୋବାଇଲ । ଆଖି ପିଛୁଳାକେ ସେଲ୍ ଫୋନ୍ ପାଇଁ ଶେଷ ହୋଇଯାଉଛି ଜୀବନ । ରକ୍ତ ସମ୍ପର୍କର ସଂଜ୍ଞା ବୁଝିବା ପୂର୍ବରୁ ହ୍ୟାଣ୍ଡସେଟ୍ ପାଇଁ ହାତ ଛାଡ଼ିଦେଉଛନ୍ତି ନିଜର ଲୋକ । ସାମାନ୍ୟ ମୋବାଇଲ ପାଇଁ ଚାଲିଗଲା ବାପ-ପୁଅଙ୍କ ଜୀବନ, ଖାଲି ହୋଇଗଲା ଜଣେ ମାଆର କୋଳ, ସ୍ତ୍ରୀର ମଥା । ଏଭଳି ଏକ ହୃଦୟ ବିଦାରକ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି ।
ସବୁଦିନ ପରି ସେଦିନ ବାପା ସକାଳୁ ସକାଳୁ ବିଲକୁ ବୁଲିବାକୁ ଯାଇଥିଲେ । ବିଲହୁଡାରେ ଥିବା ଏକ ବରଗଛରେ କ’ଣ ଗୋଟେ ଝୁଲୁଥିବାର ଦୂରରୁ ଦେଖି ଦୌଡ଼ି ଆସିଲେ, ହେଲେ ପାଖରୁ ଦେଖିବା ପରେ ବାପାଙ୍କ ଛାତି ଫାଟିପଡ଼ିଲା, ପାଦତଳୁ ମାଟି ଖସିଗଲା । କାରଣ ଯେଉଁ ଗଛମୂଳ ଛାଇରେ ପୁଅକୁ ବସାଇ ବିଲରେ ଝାଳ ବୁହାଉଥିଲେ ବାପା ସେହି ବରଗଛରେ ଫାଶି ଲଗାଇ ଝୁଲିପଡ଼ିଛି ପୁଅ । ତୁନି ପଡିଯାଉଥିବା ପାଟିରେ ପୁଅ ପୁଅ କହି ମାଟିରେ ଲୋଟିପଡ଼ିଲା ବାପା, ହେଲେ ମଲାପୁଅ କ’ଣ ଆଉ ଫେରିବ ? ଗୋଟେ ମୋବାଇଲ ପାଇଁ ପୁଅ ମରିଗଲା ଏକଥା କେମିତି ବିଶ୍ୱାସ କରିବ ଜଣେ ବାପା?
ଏପଟେ ବାପାର ହାତଗୋଡ଼ ସବୁ ଝାଳ ବୋହି ପଡୁଥିଲେ ବି ପୁଅର ଝୁଲନ୍ତା ଶବକୁ ଗଛରୁ ଓହ୍ଲାଇ ଦେଇ ଯେଉଁ ରସିରେ ପୁଅ ଜୀବନ ହାରିଥିଲା, ସେହି ରସିକୁ ବେକରେ ଲଗାଇ ଗଛରେ ଝୁଲିପଡ଼ିଲା ବାପା । ବରଗଛ ତଳେ ପୁଅର ଶବ, ବରଗଛରେ ଝୁଲୁଥାଏ ବାପାର ଶବ । ଏ ହୃଦୟବିଦାରକ ଦୃଶ୍ୟକୁ କିଏ ଦେଖି ସହିବ କହିଲେ? ଚାରିଆଡେ ଚାଞ୍ଚଲ୍ୟ ଖେଳିଗଲା ପରେ ମୁମ୍ବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।
#ସମ୍ପର୍କକୁ_ମାରିଦେଲା_ମୋବାଇଲ ମୋବାଇଲ କିଣିଦେଲେନି ବାପା, ଫାଶି ଲଗାଇଦେଲା ପୁଅ । ଗଛରେ ଝୁଲୁଥିବା ପୁଅର ଶବକୁ ଦେଖି ସେହି ରଶିରେ ଝୁଲିପଡ଼ିଲେ ବାପା । #ShockingStory #KanakNews #Mobile
Posted by Kanak News on Sunday, January 12, 2025
ପୋଲିସ କହିବା ମୁତାବକ, ଛତ୍ରପତି ସମ୍ଭାଜୀନଗରର ଜଣେ ଚାଷୀ ବାପା ପୁଅର ମୋବାଇଲ ଡିମାଣ୍ଡକୁ ପୂରଣ କରିପାରିଲେନି ବୋଲି ବେକରେ ରସି ଲଗାଇ ଜୀବନ ହାରିଦେଇଛି ପୁଅ । କାରଣ କିଛି ଦିନ ହେବ ଦଶମ ଶ୍ରେଣୀରେ ପଢୁଥିବା ପୁଅଟି ବାପା-ମାଆଙ୍କୁ ଫୋନ୍ କିଣିଦେବାକୁ ଜିଦ୍ କରୁଥିଲା । ହେଲେ ଅର୍ଥାଭାବରୁ ଚାଷୀ ବାପ ଜଣକ ପୁଅକୁ ମନା କରିଦେଉଥିଲେ । କିନ୍ତୁ ପୁଅର ଜିଦ୍ ଅତ୍ୟଧିକ ହେବାରୁ ବାପା ପୁଅକୁ ଆକଟ କରିଥିଲେ । ରାତିରେ ବାପାଙ୍କ ରାଗମିଶା ଗାଳି ଶୁଣି ପୁଅ ବିଲକୁ ପଳାଇ ଆସିଥିଲା । ହେଲେ କିଏ ଜାଣିଥିଲା ରୁଷିଥିବା ପୁଅଟି ଫାଶି ଲଗାଇ ସବୁଦିନ ପାଇଁ ରୁଷି ଯିବ!
ସାମାନ୍ୟ ସ୍ମାର୍ଟଫୋନ୍ ବାପ-ପୁଅର ସମ୍ପର୍କକୁ ସାରିଦେବ ବୋଲି କେହି କେବେ କଳ୍ପନା ବି କରିନଥିବେ । ପୋଲିସ ସିନା ତଦନ୍ତ କରି ଏହାକୁ ଏକ ଅଭାବନୀୟ ଘଟଣା ବୋଲି ଫାଇଲ୍ କରିଦେବ ହେଲେ ଆଜିର ଯୁବପୀଢ଼ି ଏବଂ ଅଭିଭାବକ ମାନେ ମୋବାଇଲର ଗୁରୁତ୍ୱ ଏବଂ ମଣିଷ ସମ୍ପର୍କର ମହତ୍ୱ ଯଦି ନବୁଝି ବୁଝାଇପାରିବେ! ତା’ହେଲେ ମହାରାଷ୍ଟ୍ର ଭଳି ଏମିତି ଅନେକ ଘଟଣା ସମାଜକୁ ସମ୍ବେଦନହୀନ କରୁଥିବ ।