କନକ ବ୍ୟୁରୋ: ଆସିସାରିଛି ଏକଜିଟ୍ ପୋଲ୍, ଆଉ ଶନିବାର ଆସିବ ଅସଲ ଫଳାଫଳ । ହେଲେ ଏହା ପୂର୍ବରୁ କିନ୍ତୁ ନିର୍ବାଚନ ଫଳାଫଳ ଆଉ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସରଗରମ ହେଇଛି ମହାରାଷ୍ଟ୍ର ରାଜନୀତି । ଗୋଟିଏ ପଟେ ଶାସନରେ ଥିବା ମହାୟୁତି ଆଉ ଅନ୍ୟପଟେ ବିରୋଧୀ ଆସନରେ ଥିବା ମହାବିକାଶ ଅଘାଡି ଉଭୟ ନିର୍ବାଚନ ଜିତିବାକୁ ଦମ୍ଭୋକ୍ତି ଦେଖାଇବା ସହ, ନିଜ ନିଜ ଦଳର ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ଦାବି କରୁଛନ୍ତି ।
ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟେଲ ଦାବି କରିଛନ୍ତି ଯେ, ତାଙ୍କ ଦଳର ନେତୃତ୍ୱରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାର ଗଢିବ । ହେଲେ କଂଗ୍ରେସର ଏହି କଥା କିନ୍ତୁ ତାଙ୍କ ସାଥୀ ଶିବସେନା(ଉଦ୍ଧବ ଗୋଷ୍ଠୀ)କୁ ପସନ୍ଦ ଆସନି । ଶିବସେନା(ଉଦ୍ଧବ ଗୋଷ୍ଠୀ)ର ନେତା ସଞ୍ଜୟ ରାଓ୍ୱତ କହିଛନ୍ତି ଯେ, ନିର୍ବାଚନରେ ମହାବିକାଶ ଅଘାଡିକୁ ବହୁମତ ମିଳିବା ପରେ ସହଯୋଗୀ ପାର୍ଟିମାନେ ମିଳିମିଶି ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବିଚାର ବିମର୍ଶ କରିବେ । ତେବେ ନାନା ପଟଲେ ଯଦି ନିଜେ ନିଜକୁ ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଦାବି କରୁଛନ୍ତି, ତେବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ , ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଏ ନେଇ ଘୋଷଣା କରିବା ଦରକାର ବୋଲି କହିଛନ୍ତି ସଞ୍ଜୟ ରାଓ୍ୱତ ।
ଏଥର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି, ଶିବସେନା (ସିନ୍ଦେ ଗୋଷ୍ଠୀ), ଏନସିପି (ଅଜିତ୍ ପାଓ୍ୱାର ଗୋଷ୍ଠୀ) ମିଶି ମହାୟୁତି ମେଣ୍ଟ ଗଠନ କରିଥିଲେ । ସେହିପରି କଂଗ୍ରେସ ଶିବସେନା (ଉଦ୍ଧବ ଗୋଷ୍ଠୀ), ଏନସିପି (ଶରଦ ପାଓ୍ୱାର ଗୋଷ୍ଠୀ) ମିଶି ମହାବିକାଶ ଅଘାଡି ମେଣ୍ଟ ଗଠନ କରିଥିଲେ । ଉଭୟ ଗୋଷ୍ଠୀ ଏବେ ରାଜ୍ୟରେ ସରକାର ଗଠନ କରିବା ନେଇ ଦାବି କରୁଛନ୍ତି । ଆଉ ନିଜ ଦଳର ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ଦମ୍ଭୋକ୍ତି ଦେଖାଉଛନ୍ତି । ଯାହାକୁ ନେଇ ସରଗରମ ହେଇଛି ମହାରାଷ୍ଟ୍ର ରାଜନୀତି ।
ସେପଟେ ମହାୟୁତି ତରଫରୁ ଶିବସେନା ବିଧାୟକ ତଥା ଦଳର ମୁଖପାତ୍ର ସଞ୍ଜୟ ଶିରସାଟ କହିଛନ୍ତି ଯେ, ଏଥର ଏକନାଥ ସିନ୍ଦେଙ୍କ ଚେହେରାରେ ମହାୟୁତି ମେଣ୍ଟ ନିର୍ବାଚନ ଲଢିଛି । ଆଉ ଭୋଟରମାନେ ମଧ୍ୟ ନିଜ ଭୋଟ୍ ଜରିଆରେ ଏକନାଥ ସିନ୍ଦେ ତାଙ୍କୁ ପସନ୍ଦ ବୋଲି ଜଣାଇ ଦେଇଛନ୍ତି । ତେଣୁ ଏକନାଥ ସିନ୍ଦେ ହିଁ ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ମୁଖ୍ୟ ହକଦାର ବୋଲି କହିଛନ୍ତି ଶିବସେନାର ଏହି ନେତା । ସେପଟେ ବିଜେପି ନେତା ପ୍ରବୀଣ ଦେରକର କିନ୍ତୁ ମୁଖ୍ୟମନ୍ତ୍ରୀ କିଏ ହେବା ନେଇ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ହେଉଛନ୍ତି ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ । ତାଙ୍କ କହିବା କଥା ହେଲା, ଯଦି ବିଜେପିର କେହି ମୁଖ୍ୟମନ୍ତ୍ରୀ ଆସନରେ ବସିବା ଭଳି ଦେଖାଯାଉଛି, ତେବେ ସେ ହେଉଛନ୍ତି ଦେବେନ୍ଦ୍ର ଫଡନାବିସ୍ ।
ଶିବସେନା, ବିଜେପି ପରେ ମୁଖ୍ୟମନ୍ତ୍ରୀ ରେସରେ ନେତାଙ୍କ ଏହି ବୟାନବାଜିରେ ପଛରେ ପଡିନି ଏନସିପି । ଦଳର ନେତା ଅମୋଲ ମିଟକରୀ ମୁଖ୍ୟମନ୍ତ୍ରୀ ରେସରେ ଅଜିତ୍ ପାଓ୍ୱାର ଆଗରେ ଥିବା ଦାବି କରିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଯାହା ହେଉନା କାହିଁକି, ଏନସିପି ହିଁ କିଙ୍ଗମେକର ଭୂମିକା ନିଭେଇବ । ଆଉ ଅଜିତ୍ ପାଓ୍ୱାର ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଥିବା ସେ ଦାବି କରିଛନ୍ତି ।
ଜାଣିରଖିବା ଉଚିତ୍ ଯେ, ଏଥର ଗୋଟିଏ ପର୍ୟ୍ୟାୟରେ ମହାରାଷ୍ଟ୍ରରେ ଭୋଟ୍ ପଡିଥିଲା । ସମସ୍ତ ୨୮୮ ଆସନ ପାଇଁ ଗୋଟିଏ ଦିନରେ ଭୋଟ୍ ଦେଇଥିଲେ ମହାରାଷ୍ଟ୍ରର ଭୋଟର । ତେବେ ଭୋଟ୍ ପରେ ଆସିଥିଲା ଏକଜିଟ୍ ପୋଲ୍ । ଯେଉଁଥିରେ ଅଧିକାଂଶ ଏକଜିଟ୍ ପୋଲ ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ସରକାର ଗଢିବା ନେଇ ପୂର୍ବାନୁମାନ କରିଛନ୍ତି । ତେବେ ଏକଜିଟ୍ ପୋଲ୍ ଯଦି ଏକଜାଟ୍ ପୋଲ୍ ହୁଏ, ତେବେ କେଉଁ ଦଳର ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିବେ, ତାକୁ ନେଇ ଚର୍ଚ୍ଚା ବଢିଛି....