କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ମହାରାଷ୍ଟ୍ରରେ କିଏ ଗଢିବ ସରକାର ତାକୁ ନେଇ ଯେତେ ଚର୍ଚ୍ଚା ନହେଉଛି ତା ଠାରୁ କିଏ ହେବ ମୁଖ୍ୟମନ୍ତ୍ରୀ ତାଙ୍କୁ ନେଇ ଅଲୋଚନା ଜୋର ଧରିଛି । ଏବେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଥିବା ଏକନାଥ ସିନ୍ଦେ ଆଜି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କି, ସେ ମୁଖ୍ୟମନ୍ତ୍ରୀ ପଦ ରେସରେ ନାହାଁନ୍ତି । ହେଲେ ମହାୟୁତିରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସାକ୍ଷାତକାର ବେଳେ ସେ ମହାବିକାଶ ଅଘାଡି ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି କି, କଂଗ୍ରେସ ବିଭାଜନ ରାଜନୀତି କରୁଛି ଏହାସହ ରାହୁଲ ଗାନ୍ଧୀ ବାଲାସାହେବ ଠାକରେଙ୍କୁ କେବେ ହିନ୍ଦୁ ହୃଦୟର ସମ୍ରାଟ ବୋଲି କହିବେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ଯୋଗୀଙ୍କ କଟେଙ୍ଗେ ତ ବଟେଙ୍ଗେ ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କ ଏକ ରହେଙ୍ଗେ ତ ସେଫ୍ ରହେଙ୍ଗେ ନାରାକୁ ସମର୍ଥନ କରିଛନ୍ତି ।
ସେପଟେ ମହାବିକାଶ ଅଘାଡିରେ କିଏ ମୁଖ୍ୟମନ୍ତ୍ରୀ ଚେହେରା ତାକୁ ନେଇ ବିବାଦ ଲାଗି ରହିଛି । ଉଦ୍ଧବ ଠାକରେ ଗୋଷ୍ଠୀର ଶିବସେନା ତରଫରୁ ଉଦ୍ଧବ ଠାକରେଙ୍କ ନାମ ଆଗକୁ ଆସୁଥିବା ବେଳେ କଂଗ୍ରେସ ତରଫରୁ ନାନା ପାଟୋଲେଙ୍କ ନାମ । ଏସବୁ ଭିତରେ ମହାବିକାଶ ଅଘାଡିର ନେତୃତ୍ୱ ନେଉଥିବା ଶରଦ ପାୱାର ଇଙ୍ଗିତରେ ମହାବିକାଶ ଅଘାଡି ସରକାର ହେଲେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି । ହେଲେ ମହିଳା ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ମହାବିକାଶ ଅଘାଡିରେ ୨ ଜଣ ପ୍ରମୁଖ ମହିଳା ନେତ୍ରୀ ରହିଛନ୍ତି । ଜଣେ ଶରଦ ପାୱାରଙ୍କ କନ୍ୟା ସାଂସଦ ସୁପ୍ରିୟା ସୋଲେ ଓ ଅନ୍ୟଜଣେ ପ୍ରିୟଙ୍କା ଚର୍ତ୍ତୁବେଦୀ ।