କନକ ବ୍ୟୁରୋ: ମହାପ୍ରଭୁଙ୍କ ଦଶମୂଳ ମୋଦକ ଚୋରି ଘଟଣା । ରିପୋର୍ଟ ତଲବ କଲେ ଆଇନମନ୍ତ୍ରୀ । କହିଲେ, ଶ୍ରୀମନ୍ଦିରରୁ ରିପୋର୍ଟ ଆସିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭ୍ରାଟ ନେଇ ନିଯୋଗକୁ ରିପୋର୍ଟ ମାଗିଥିବା ସୂଚନା ମିଳିଛି । ଶ୍ରୀଜିଉଙ୍କ ମୋଦକ ଚୋରି ହେବା ପରେ, ମହାପ୍ରଭୁଙ୍କଠାରେ ଲାଗି ହୋଇଥିଲା, ମାରା ମୋଦକ । ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରାସକଙ୍କୁ ଚିଠି ଲେଖିଥିଲେ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ।
ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ପାରମ୍ପରିକ ପଦ୍ଧତିରେ ଚାଲିଛି ଚିକିତ୍ସା । ଫୁଲୁରି ତେଲ ଲାଗି ପରେ ରାଜବୈଦ୍ୟ ଦଶମୂଳ ମୋଦକ ଗାରଦରେ ଦାଖଲ କରିବାର ପରମ୍ପରା ରହିଛି । ରାଜବୈଦ୍ୟ ମୋଟ ୩୧୩ଟି ମୋଦକ ଦାଖଲ କରିଥାନ୍ତି । କିନ୍ତୁ ଏଥିରୁ ୭୦ଟି ମୋଦକ କମ ଥିବା ଅଭିଯୋଗ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ । ୩୧୩ ସ୍ଥାନରେ ୨୪୩ଟି ମୋଦକ ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ଅଭିଯୋଗ ଆଣିଛନ୍ତି ହଳଧର ଦାସ ମହାପାତ୍ର । ୭୦ଟି ମୋଦକ ଚୋରି ହୋଇଛି । ଏଠି ପ୍ରଶ୍ନ ଉଠୁଛି ମାରା ହୋଇଥିବା ମୋଦକ ମହାପ୍ରଭୁଙ୍କଠାରେ କିପରି ଲାଗି ହେଲା ? ଗାରଦ କାର୍ଯ୍ୟାଳୟରୁ କିଏ ଚୋରି କଲା ମୋଦକ ? ସୁରକ୍ଷାକର୍ମୀ କଣ କରୁଥିଲେ ? କିଏ ଲାଗି କଲା ମାରା ମୋଦକ ? କାହିଁକି ବାରମ୍ବାର ଘଟୁଛି ବିଭ୍ରାଟ ? ଅକ୍ଷମଣିୟ ଅପରାଧର କର୍ଯ୍ୟାନୁଷ୍ଠାନ କେବେ ?