କନକ ବ୍ୟୁରୋ : ଆସନ୍ତା ୨୭ ତାରିଖରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏହା ପୂର୍ବରୁ ଅଣସରରେ ଅଛନ୍ତି ଶ୍ରୀଜିଉ । ଗୁପ୍ତସେବା ଚାଲିଛି ଓ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ନେତ୍ରୋତ୍ସବ ପରେ ହେବ ଘୋଷଯାତ୍ରା । ଶ୍ରୀଜିଉଙ୍କ ସେବା ହେଉଛି ଦଇତାପତିଙ୍କର ଗୋଷ୍ଠୀଗତ ସେବା । ଦଇତାପତି ବଂଶରେ ଜନ୍ମିତ ୨୧ ଦିନର ପିଲାକୁ ମିଳିଥାଏ ସେବା ପୂଜାର ଅଧିକାର । ବିନା ଅନୁମତିରେ ଶିଶୁପୁତ୍ର ଅଣସର ଷଷ୍ଠୀଠାରୁ ଦଶମୀ ଭିତରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସେବକ ଭାବେ ପରିଗଣିତ ହୋଇଥା’ନ୍ତି । ଅନବସର ଘରେ ଦଇତାପତିଙ୍କ ଦ୍ବାରା ଗୁପ୍ତ ସେବା କରାଯାଇଥାଏ । ଏକ ବସ୍ତ୍ର ହୋଇ ଦଇତାପତିମାନେ ସେବା କରିଥା’ନ୍ତି ।
ନବକଳେବରର ମହା ଅନବସର ଓ ସ୍ନାନଯାତ୍ରା ପରେ ପନ୍ଦର ଦିନିଆ ଅଣସର ସବୁଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଭାବେ କାର୍ଯ୍ୟ କରିଥା’ନ୍ତି ଦଇତାପତି ସେବକ । ମହାପ୍ରଭୁଙ୍କ ଅନବସରରେ ଚିକିତ୍ସା ଚାଲିଥିବା ବେଳେ ଦଇତାପତିଙ୍କ ଘରେ କିନ୍ତୁ ନଥାଏ ଉତ୍ସାହ । ଦଇତାପତିଙ୍କ ଘରେ ମଧ୍ୟ ଏହି ସମୟରେ ରହିଥାଏ ସ୍ୱତନ୍ତ୍ର କଟକଣା । ବାହାରୁ ପାଣି ଓ ଖାଦ୍ୟ ଗ୍ରହଣ ନ କରିବା, ଦାଢ଼ି ନକାଟିବା ଓ ଅଠରନଳା ଟପିକି ନଯିବା ଆଦି କଟକଣା ରହିଛି । ଏହା ସହିତ ଘରର ବିବାହିତ ଝିଅଙ୍କୁ ମଧ୍ୟ ବାପଘରକୁ ଆସିବାକୁ ବାରଣ ରହିଥାଏ ।
ଶ୍ରୀଅଙ୍ଗ ସେବକ ଭାବେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ମନପ୍ରାଣ ଦେଇ ଲାଗି ପଡିଛନ୍ତି ଦଇତାପତି ସେବକ । ଗତକାଲି ଷଷ୍ଠୀ ଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଓଷୁଅ ଲାଗି ସେବା । ତେବେ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲେପନ ପରେ ଜ୍ୱର ପିଡ଼ାରୁ ଧୀରେ ଧୀରେ ଉପଶମ ପାଉଛନ୍ତି ମହାପ୍ରଭୁ ।