କନକ ବ୍ୟୁରୋ: ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଗଜାନନ ବେଶ । ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ଼ । ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଦିବ୍ୟସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ ।
ସ୍ନାନବେଦୀରେ ବିରାଜମାନ ଚତୁର୍ଦ୍ଧା ମୂରତି । ରତ୍ନବେଦୀ ଛାଡି ସ୍ନାନ ମଣ୍ଡପକୁ ବିଜେ କରିଛନ୍ତି ମହାପ୍ରଭୁ । ଦିନ ୧୨ଟା ୨୦ରେ ଅନୁଷ୍ଠିତ ହୋଇଥିଲା ଦିବ୍ୟ ସ୍ନାନ । ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ ଦେଉଛନ୍ତି । ଏହି ଅପୂର୍ବ ବେଶକୁ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି ।
ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ଦେଖାଯାଇଥିବା ବେଳେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡୁଛି । ସ୍ନାନଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୁଲିସ ଓ ଗୋଟିଏ ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସପି ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହର ସିସିଟିଭି ନଜରରେ ରଖାଯାଇଛି । ତାତି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର ପାଣି ବ୍ୟବସ୍ଥା ହୋଇଛି ।