କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ । ଓଡିଶା ପ୍ରଶାସନିକ ସେବାରେ ତାଲିମ ନେଉଥିବା ୨୭ବର୍ଷୀୟ ସିପ୍ରା ପ୍ରିୟଦର୍ଶିନୀ ବଳଙ୍କୁ ପ୍ରେମ ବିବାହ କରିବାକୁ ଯାଉଛନ୍ତି ମାହାଙ୍ଗା ବିଧାୟକ ସାରଦା । ସିପ୍ରା ପ୍ରିୟଦର୍ଶିନୀ ଓରଫ ମାମୁନୁଙ୍କ ପ୍ରେମ ପ୍ରଣୟ ଶିକୁଳିରେ ବାନ୍ଧି ହୋଇଥିବା ବିଧାୟକ ସାରଦା ଓରଫ ବୁଲୁ କାଲି ରାଜସ୍ଥାନର ଜୟପୁର ସହର ଏକ ରାଜକିୟ ହୋଟେଲ ରିସର୍ଟରେ Destination wedding କରିବେ ।

Advertisment

ଆସନ୍ତାକାଲି ସାତ ଜନ୍ମର ସାଥି ହେବେ ବୁଲୁ ଆଉ ମାମୁନୁ । ସେଥିପାଇଁ ଉଭୟ ବର ଓ କନ୍ୟା ପରିବାରର ୩୦ଜଣ ଲେଖାଏଁ ଗତକାଲି ଠାରୁ ପହଞ୍ଚିଛନ୍ତି ପିଙ୍କ୍‌ ସିଟି ଜୟପୁରରେ । ବୁଲୁ ଏକ ମେରୁନ କଲରର ସେରୱାନିରେ ହାତରେ ମେହେନ୍ଦି କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ବାମ ହାତରେ ତାଙ୍କ ପ୍ରେମିକାରୁ ପତ୍ନୀ ହେବାକୁ ଯାଉଥିବା ସିପ୍ରାଙ୍କ ନାମ ଲେଖିଛନ୍ତି । ହଳଦୀ ଉତ୍ସବ ପରେ ଉଭୟ ଲଭ ବାର୍ଡ ହଳଦୀ ରଙ୍ଗର ବସ୍ତ୍ରରେ ରାମ୍ପ ୱାକ୍‌ରେ ପରସ୍ପର ହାତ ଧରା ଧରି ହୋଇ ଯାଉଥିବାର ଦୃଶ୍ୟରେ ବେଶ ଖୁସି ଦେଖାଯାଉଛନ୍ତି ବୁଲୁ ଆଉ ମାମୁନୁ ।

ବୁଲୁ ଅନେକ ଦିନ ହେଲାଣି ମାହାଙ୍ଗାରେ ବେଶ ଚର୍ଚ୍ଚିତ ଚେହେରା ଭାବେ ପରିଚିତ । ଏବେ ଏବେ ସାଧାରଣ ନିର୍ବାଚନରେ ସ୍ୱାଧୀନ ବିଧାୟକ ଭାବେ ମାହାଙ୍ଗାରେ ନିର୍ବାଚିତ ହୋଇ ବିଭିନ୍ନ କାରଣରୁ ବିବାଦ ହେଉ ଅବା ସୁସଂଗଠିତ କାର୍ଯ୍ୟ ପାଇଁ ଓଡିଶାରେ ପରିଚିତ ଚେହେରା । ମାମୁନ ଓରଫ ସିପ୍ରା ପ୍ରିୟଦର୍ଶିନୀ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଜଅଁରା ବାରିମୂଳ ଗାଁର ରମେଶ ବଳଙ୍କ ଜ୍ୟେଷ୍ଠ କନ୍ୟା । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରିଣୀ ଭାବେ କାର୍ଯ୍ୟ କରୁଥିଲେ । ପରେ ୨୦୨୩ ଓଡିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ଏବେ ତାଲିମ ନେଉଛନ୍ତି ।

ତେବେ ନିଶ୍ଚିନ୍ତକୋଇଲି ବ୍ଲକରେ ମାମୁନ କାର୍ଯ୍ୟ କରୁଥିବା ସମୟରେ ୨୦୨୪ ଜୁନରେ ବୁଲୁ ମାହାଙ୍ଗା ବିଧାୟକ ଭାବେ ନିର୍ବାଚିତ ହେଲା ପରେ ନିଶ୍ଚିନ୍ତକୋଇଲି ବ୍ଲକରେ ମାମୁନଙ୍କ ସ୍ମିତ ହାସ୍ୟ ଓ ନମ୍ରତା ଉପରେ ପ୍ରଭାବିତ ହୋଇଥିଲେ ବିଧାୟକ ବୁଲୁ । ଏହାରି ଭିତରେ ଗୁପ୍ତ ଭାବେ ୪୬ବର୍ଷୀୟ ବୁଲୁ ଓ ୨୭ବର୍ଷୀୟ ମାମୁନଙ୍କ ସମ୍ପର୍କ ପ୍ରେମରୁ ବିବାହ ପର୍ଯ୍ୟନ୍ତ ଏହି ୮ମାସ ମଧ୍ୟରେ ଚାଲିଗଲା । ଆସନ୍ତାକାଲି ମାର୍ଚ୍ଚ ୨ତାରିଖରେ ବୁଲୁ ଓ ମାମୁନ ୭ଜନ୍ମର ସାଥି ହେବାକୁ ଯାଉଛନ୍ତି । ଆମେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି କାମନା କରୁଅଛୁ । ବୁଲୁ ଓ ମାମୁନଙ୍କ ବିବାହକୁ ନେଇ ଏବେ ଖାଲି ମାହାଙ୍ଗା ନୁହେଁ ସାରା ଓଡିଶାରେ ଚର୍ଚ୍ଚା ।